ଏଚଆଇଭି-ଏଡ଼ସ ସମ୍ପର୍କରେ ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶିବିର

 





ଗଞ୍ଜାମ ଜିଲ୍ଲା (ଶେରଗଡ଼)ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟାଙ୍କ ଅଧ୍ୟକ୍ଷତାରେ, ଯୁବ ରେଡ଼କ୍ରସ ୟୁନିଟର ନେତୃତ୍ୱ ରେ ଏବଂ ମେଡିକାଲ ପରାମର୍ଶଦାତାଙ୍କ ସହଯୋଗରେ ଏଚଆଇଭି-ଏଡ଼ସ ସମ୍ପର୍କରେ ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଇସିଟିସି କାମନା ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଏବଂ ପ୍ରଫୁଲ୍ଲ କୁମାର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଏଡ଼ସର କାରଣ ଓ ନିରାକରଣ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଯୁବ ରେଡ଼କ୍ରସ କାଉନସେଲର ପବିତ୍ର ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ଯୁବବର୍ଗ ଏଚଆଇଭି ପ୍ରତି ଅଧିକ ବିପଦ ସଙ୍କୁଳ ଗୋଷ୍ଠୀ ଭାବେ ପରିଗଣିତ ହେଉଛନ୍ତି। 2030 ସୁଦ୍ଧା ଏଚଆଇଭି ର ମୁଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗାମୀ ଦିନ ଗୁଡିକ ଯୁବବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯୁବବର୍ଗ ସଚେତନ ହେଲେ ହିଁ ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳି ପାରିବ।


ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟା କହିଥିଲେ, ଏଚଆଇଭି ହେଉଛି ଏଡସ ସଂକ୍ରମଣର ମାଧ୍ୟମ। ତେଣୁ ନିୟନ୍ତ୍ରଣ ଓ ନିରାକରଣ ବିଷୟରେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଯେଉଁ ସଂକ୍ରମଣର ସମ୍ପୂର୍ଣ୍ଣ ନିରାକରଣ ନାହିଁ,କେବଳ ସଚେତନ ହେବାକୁ ହିଁ ପଡିବ। ସମସ୍ତ ଛାତ୍ରଛାତ୍ରୀଙ୍କର ଏଥିପ୍ରତି ଦାୟିତ୍ୱବୋଧ ରହିବା ଆବଶ୍ୟକ। ତତ୍ପରେ ପ୍ରଶାସନିକ ଅଧୀକ୍ଷକ ଶିଶିରକାନ୍ତ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସବୁ ଯୁବବର୍ଗ ଏକଜୁଟ ହୋଇ ସାମୂହିକ ଭାବେ ଉଦ୍ୟମ କଲେ ତଥା ଅନ୍ୟ ମାନଙ୍କୁ ସଚେତନ କରାଇ ପାରିଲେ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଏଚଆଇଭି-ଏଡସ ମୁଳୋତ୍ପାଟନ ହୋଇ ପାରିବ। ପରିଶେଷରେ ମହିଳା କାଉନସେଲର ସୁଶ୍ରୀ ମନୀଷା ରାଣୀ ସାହୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଏ ସମ୍ପର୍କରେ ବୁଝାଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ।



Post a Comment

0 Comments