ଓଡିଶା ପାଠାଗାର ଓ ସଂଗ୍ରହାଳୟ ଜଗତର ବିସ୍ମୟ ସାଧକ, ପ୍ରାଖ୍ୟାତ ସଂଗ୍ରାହକ, ପ୍ରସିଦ୍ଧ ସାରସ୍ବତ ସାଧକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଦାସିଆ ଅଜାଙ୍କ ସାଧନା ପୀଠ ସାରସ୍ବତ ତପୋଭୂମି ନୂଆଗାଁ ବ୍ଲକ ଉଦୟପୁର ଠାରେ ପାଳିତ ହୋଇଯାଇଛି।
ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସଂପାଦକ ଦୀପକ ପଟ୍ଟନାୟକଙ୍କ ତତ୍ବାବଧାନରେ ପାଠାଗାର, ସଂଗ୍ରହାଳୟ ପରିସର ମଧ୍ୟରେ ଦାସିଆ ଅଜାଙ୍କ ପ୍ରତିମୂର୍ତୀ ଓ ସମାଧୀ ପୀଠରେ ନାମ, ଭଜନ, ପ୍ରାର୍ଥନା ସଭା, ଭାଗବତ ଗୀତା ପାଠ, ଖଞ୍ଜଣୀ ଭଜନ ମାନ କରାଯାଇ ଦାସିଆ ଅଜା ଓ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ଦାସିଆ ଅଜା ଥିଲେ ଓଡିଆ ଜାତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ। ଓଡିଶାବାସୀଙ୍କ ପାଇଁ ଦାସିଆ ଅଜା ଥିଲେ ଗର୍ବ ଓ ଗୌରବ। କବି, ଲେଖକ, ସାହିତ୍ୟିକ, ଛାତ୍ର ଓ ଗବେଷକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଓ ଆଲୋକବର୍ତିକା। ଦାସିଆ ଅଜାଙ୍କ ସାଧନା ଆଜି ସମଗ୍ର ବିଶ୍ବରେ ବିରଳ ଓ ବିସ୍ମୟ ସୃଷ୍ଟି କରିଛି। ଅଖ୍ୟାତ ପଲ୍ଲୀର ବିଖ୍ୟାତ ବ୍ୟକ୍ତିତ୍ବ ଦାସିଆ ଅଜା ଥିଲେ ଓଡିଶା ସଂସ୍କୃତି ପ୍ରାଣର ମୂର୍ତୀମନ୍ତ ପ୍ରତୀକ। ଓଡିଶା ସାଂସ୍କୃତିକ ଇତିହାସର ଅନନ୍ୟ ଏୗତିହାସିକ। ଦାସିଆ ଅଜାଙ୍କ ପ୍ରସିଦ୍ଧ ସାଂସ୍କୃତିକ ସମ୍ଭାରକୁ ବିଶ୍ବସ୍ତରୀୟ ଭାବେ ବିକଶିତ ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କଲେ, ଏହା ଦାସିଆ ଅଜାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ କବି, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବି ମାନଙ୍କ ସମେତ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନôାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମକୁ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ କବି ଶ୍ରୀଧର ବେହେରା ସଂଯୋଜନା କରିଥିଲେ। ଦାସିଆ ଅଜାଙ୍କ ସାଧନା ପୀଠରେ ଦିନ ତମାମ ଜନଗହଳି ପରିଲକ୍ଷିତ ହୋଇଥିଲା। ନୂଆଗାଁ ବ୍ଲକର ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦାସିଆ ଅଜାଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।
ଦାସିଆ ଅଜାଙ୍କ ଶ୍ରାଦ୍ଧଦିବସରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏକ ପୁରାତନ ତାମ୍ବିପାତ୍ର, ନୂଆଗାଁ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ତା ଏକ ରାଜବାଟୀର ପିତଳ କାରୁକାର୍ଯ୍ୟରେ ନିର୍ମିତ ପୁରାତନ କଡା, ନଇତଇଲା ଗ୍ରାମର ଦିପୁନା ପାତ୍ର ପିତଳ ନିର୍ମିତ ଏକ ପୁରାତନ ଗହଣା ପେଡି ଓ ଶିଙ୍ଗରେ ନିର୍ମିତ ଏକ ଯୌନ କଳାକୃତି ପେଣଟିଂ ଏବଂ ଗଣିଆ ମାଳତୀପୁଟ ଗ୍ରାମର ଅଟଳ ବିହାରୀ ବାଜୁ ପିତଳ ନିର୍ମିତ ଏକ ପୁରାତନ ଗରା ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି।

.jpeg)
.jpeg)


0 Comments