ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସଫଳ କାବ୍ୟକାର। ତାଙ୍କର ସୃଷ୍ଟି ଆଧୁନିକ ଓ ପ୍ରାଚୀନ କାବ୍ୟ କବିତା ମଧ୍ୟରେ ଥିଲା ଏକ ମୁଖ୍ୟ ସେତୁ । ସମାଲୋଚକମାନେ ତାଙ୍କୁ ଭାଷା ଓ ଭାବ ର ସମନ୍ୱୟ କବି ଭାବେ ଅଭିହିତ କରିଥାନ୍ତି। ପ୍ରାଚ୍ୟ ପରମ୍ପରା ଓ ଆଦର୍ଶରେ ଅନୁଗାମୀ ସ୍ୱଭାବ କବି ଗଙ୍ଗାଧର ମେହେର ଆମ ସଂସ୍କୃତି ଓ ସାହିତ୍ୟ କୁ ଆଧାର କରି "ତପସ୍ୱିନୀ", " "ଇନ୍ଦୁମତୀ", " କୀଚକ ବଧ" , "ପଣୟବଲ୍ଲରୀ " ପରି ଉଚ୍ଚକୋଟୀର କାବ୍ୟ କବିତା ରଚନା କରିଥିବା ବେଳେ ଅନେକ ଜାତୀୟ ଚିନ୍ତାଧାରା ଆଧାରିତ ସୃଷ୍ଟି ଯୋଗୁଁ ଓଡ଼ିଆ ସାହିତ୍ୟରେ ଯୁଗ ସ୍ରଷ୍ଟା ଭାବେ ବିବେଚିତ ହୋଇଛନ୍ତି ବୋଲି ଆଜିର ଆଲୋଚନାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ୧୮୬୨ ମସିହା ଅଗଷ୍ଟ ୯ ରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କ ୧୬୩ ତମ ଜୟନ୍ତୀ ସିଭିଲ ସୋସାଇଟ୍ ନୟାଗଡ ଓ ପୂଜ୍ୟପୂଜା ଅନୁଷ୍ଠାନ ତରଫରୁ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି।
ଗୋଦାବରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପ୍ରସନ୍ନ କୁମାର ବସନ୍ତିଆ,ଶରତ ଚନ୍ଦ୍ର ଆଚାର୍ଯ୍ୟ, ଭଗବତୀ ଚରଣ ପଟ୍ଟନାୟକ, ନିରଞ୍ଜନ ମିଶ୍ର ପ୍ରମୁଖ ସ୍ୱଭାବ କବିଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ଆସନ୍ତା ସମୟରେ ମହାପୁରୁଷମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ପାଳନ କରିବା ଦିଗରେ ଗୁରୁତ୍ବ ଦେବାପାଇଁ ନିଷ୍ପତ୍ତି ହୋଇଥିଲା।
0 Comments