ନୟାଗଡ଼, ଧାର୍ଯ୍ୟ ସମୟ ମଧ୍ୟରେ ବଦଳି ନହେବା ପ୍ରତିବାଦରେ ନୟାଗଡ଼ ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଜନୈକ ଶିକ୍ଷକନେତା ଆତ୍ମହତ୍ୟା କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଖବରରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟରତ ସମ୍ପାଦକ ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର ନୟାଗଡ଼ ବ୍ଲକ ଅନ୍ତର୍ଗତ ହାଟଦ୍ୱାର ପ୍ରାଥମିକ ବିଦ୍ୟାଳୟରେ ଗତ ୨୦୦୯ ମସିହାରୁ ଲେବୁଲ-୫ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ଅନଲାଇନ ବଦଳି ପୋର୍ଟାଲ ମାଧ୍ୟମରେ ଶ୍ରୀ ମିଶ୍ର ବଦଳି ପାଇଁ ଆବେଦନ କରିଥିଲେ ଏବଂ ତାଙ୍କ ବଦଳି ଆବେଦନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଅନୁମୋଦନ ଲାଭ କରିଥିବା ବେଳେ ତାଙ୍କୁ ଅଦ୍ୟାବଧି ବଦଳି ଆଦେଶନାମା ମିଳିନାହିଁ।ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ବଦଳି ପାଇଁ ଏକ ବାର୍ଷିକ ବଦଳି ନୀତି ନିର୍ଦ୍ଧାରଣ କରିବା ସହିତ ଅନଲାଇନ ପୋର୍ଟାଲ ମାଧ୍ୟମରେ ବଦଳି ଆବେଦନ ପାଇଁ ଗତ ଏପ୍ରିଲ ମାସ ୧୪ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରା ଯାଇଥିଲା। ଏହି ବିଜ୍ଞପ୍ତି ଅନୁଯାଇ ବଦଳି ପାଇଁ ଆବେଦନ କରିଥିବା ଶିକ୍ଷକ ମାନଙ୍କ ବଦଳି ପ୍ରକ୍ରିୟା ଜୁଲାଇ ମାସ ୧୯ ତାରିଖ ସୁଦ୍ଧା ଶେଷ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନୟାଗଡ଼ ଜିଲ୍ଲାରେ ଏହାକୁ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଉ ନଥିବାରୁ ଦରଖାସ୍ତକାରୀ ଶିକ୍ଷକ ନେତା ଶ୍ରୀ ମିଶ୍ର ଚଳିତ ମାସ ୮ ତାରିଖରେ ଆତ୍ମହତ୍ୟା କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏହି ବଦଳି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଜିଲ୍ଲାର ଅନେକ ଶିକ୍ଷକ ବଦଳି ପାଇଁ ଆବେଦନ କରିଥିବା ବେଳେ ବଦଳି ପ୍ରକ୍ରିୟା ହେଉ ନଥିବାରୁ ଏହି ଶିକ୍ଷକ ମାନେ ଗଭୀର ମନସ୍ତାପ ମଧ୍ୟରେ ରହୁଥିବା ଅଭିଯୋଗ ହେଉଛି।
0 Comments