ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ମହିପୁର ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ସମୂହ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

 


କଳାବ୍ୟାଜ୍ ପିନ୍ଧି ବନ କର୍ମଚାରୀଙ୍କ ପ୍ରତିବାଦ



ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ବନରକ୍ଷୀଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ ପକ୍ଷରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ପାଇଁ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ମହିପୁର ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ସମୂହ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଛନ୍ତି। ଏଥିସହିତ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ଗତ ମାସ ୨୪ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ବନରକ୍ଷୀ ପ୍ରହଲାଦ ପ୍ରଧାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସରକାରଙ୍କ ପାଖରେ ୩ଟି ପ୍ରମୁଖ ଦାବି ଉପସ୍ଥାପନ କରିଥିଲା। ଫାଷ୍ଟଟ୍ରାକ କୋର୍ଟରେ ସମ୍ପୃକ୍ତ କେସକୁ ବିଚାର କରାଇ ମୃତ ବନ କର୍ମଚାରୀଙ୍କୁ କ୍ଷତିପୂରଣ ବାବଦ ୧ କୋଟି ଟଙ୍କା ସହ ନାବାଳିକା ଝିଅର ପାଠପଢା ଓ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ ଦାବି କରିଛି ସଂଘ। ଏଥିସହିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କମିସନ ଗଠନ ଏବଂ ଜୀବନ ବୀମା ସହ ସ୍ବାସ୍ଥ୍ୟ ବୀମା ପ୍ରଦାନ ପାଇଁ ଦାବି ହୋଇଛି। ହେଲେ ଧାର୍ଯ୍ୟ ସମୟରେ ଦାବି ପୂରଣ ହୋଇନଥିବାରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ ପୂର୍ବକ ଆସନ୍ତା ୨୨ ତାରିଖ ଠାରୁ ସମୂହ ଛୁଟିରେ ରହି ସର୍କଲ ସ୍ତରରେ ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲ ହେବାକୁ ନିଷ୍ପତ୍ତ ନେଇଛି ସଂଘ। ଏହି କ୍ରମରେ ମହିପୁର ସେକ୍ସନର ବନପାଳ ରମେଶ ମଲ୍ଲିକଙ୍କ ସମେତ ଅନ୍ୟ ବନପାଳ ଓ ବନରକ୍ଷୀମାନେ ୨୨ ତାରିଖଠାରୁ ସମୂହ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲ ହେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି

Post a Comment

0 Comments