ନୂଆଗାଁ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ଠାରୁ ବିଜ୍ଞାନ ବିଭାଗରେ ନାମଲେଖା ଆରମ୍ଭ କରାଯିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ନୂଆଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଛାତ୍ରଛାତ୍ରୀ ମାନେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠପଢ଼ା ପାଇଁ ୨୨ କିଲୋମିଟର ଦୂରରେ ଥିବା ନୟାଗଡ଼ ଏବଂ ଦଶପଲ୍ଲା ଉପରେ ନିର୍ଭର କରିବାକୁ ପଡୁଥିଲା। ଯାହାଦ୍ୱାରା ଅଭିଭାବକ ମାନେ ଅଧିକ ଖର୍ଚ୍ଚାନ୍ତ ହେବା ଡରରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପାଠପଢ଼ାରୁ ବଞ୍ଚିତ ହେବାକୁ ପଡୁଥିଲା। ନୂଆଗାଁ ବ୍ଳକ ସଦରମହକୁମାରେ ଯୁକ୍ତ ୨ ବିଜ୍ଞାନ ଖୋଲିବା ନିମନ୍ତେ ବହୁ ଦିନରୁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିଲେ। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ କିଛି ଦିନ ପୂର୍ବରୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ନୂଆଗାଁ କଲେଜରେ ବିଜ୍ଞାନ ବିଭାଗ ଖୋଲିବା ଖୁସିରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ କନ୍ଧମାଳ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଭେଟି ଏହାର ଶ୍ରେୟ ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ନୂଆଗାଁ ବ୍ଲକରେ ଶିକ୍ଷାର ବିକାଶକୁ ଆଗେଇ ନେବା ପାଇଁ ଆଲୋଚନା କରିଥିଲେ।
0 Comments