ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବୌଦ୍ଧ ହରଭଙ୍ଗା ବ୍ଲକ୍ ଆଡ଼େଣିଗଡ଼ ନିକଟ କଖାରୁଫାଳଠାରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିଛି। ସେଠାରେ ପ୍ରାୟ ୩୦ ମିଟର ବ୍ୟାସ ଓ ୧୦ ମିଟର ଗଭୀରର ଏକ ବିଶାଳ ଗାତ ସୃଷ୍ଟି ହୋଇଛି। ସୋମବାର ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିବା ପରେ ଏହା ପ୍ରଘଟ ହୋଇଛି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ। କିଛିଦିନ ତଳେ ଏହି ଟନେଲ୍ କାମ ଶେଷ ହୋଇ ସାରିଥିବାରୁ ସେଠାରେ, କେହି ଶ୍ରମିକ ବା ଯନ୍ତ୍ରପାତି ନଥିଲା ବୋଲି କୁହାଯାଉଛି। ତେବେ ଅନ୍ୟ କୌଣସି ଆନୁଷଙ୍ଗିକ କାମ ହେଉଥିଲା ନା ନାହିଁ, କାହିଁକି ଟନେଲ୍ ଭୁଶୁଡ଼ିଲା ତାହା ତଦନ୍ତ ସାପେକ୍ଷ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପୁରୁଣାକଟକରୁ-ଦଶପଲ୍ଲା ମଧ୍ୟରେ ମୋଟ ୮ଟି ଟନେଲ୍ ରହିଛି। ସେଥିରୁ ଆଡ଼େଣିଗଡ଼ସ୍ଥିତ ଟନେଲ୍ର ଦୈର୍ଘ୍ୟ ୪ କିଲୋମିଟର। କିଛିଦିନ ତଳେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଟନେଲ୍ଟି ଓଡ଼ିଶାର ସର୍ବବୃହତ୍ ରେଳପଥ ଟନେଲ୍ର ମାନ୍ୟତା ଲାଭ କରିବାକୁ ଯାଉଛି। କିନ୍ତୁ ସୋମବାର ହଠାତ୍ ଏହା ଭୁଶୁଡ଼ିପଡ଼ିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି।
0 Comments