*ଆଇସିସି ମହିଳା ଟି-୨୦ ବିଶ୍ଵକପ୍ରେ ଭାରତୀୟ ଦଳକୁ ମିଳିଛି ପ୍ରଥମ ବିଜୟ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇଛି। ମହାମୁକାବିଲା ବହୁତ ଧିମା ରହିଥିଲା, କାରଣ ଉଭୟ ଦଳ ମିଶି କି ମାତ୍ର ୨୧୧ ରନ କରି ପାରିଥିଲେ। ଉଭୟ ଇନିଂସରେ ମୋଟ୍ ୩୮.୫ ଓଭର ଖେଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୦୫ ରନ କରିଥିଲା। ଇନିଂସରେ ଗୋଟିଏ ଛକା ମଧ୍ୟ ଦେଖିବାକୁ ମିଳି ନ ଥିଲା। ଜବାବରେ ଭାରତ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। କିନ୍ତୁ ଭାରତୀୟ ମହିଳା ଦଳ ଆବଶ୍ୟକ ନେଟ୍ ରନ ରେଟ୍ ହିସାବରେ ମ୍ୟାଚ୍ ଜିତି ପାରିନି*।
*ଭାରତୀୟ ଦଳ ସେମି ଫାଇନାଲ୍ ଦୌଡ଼ରେ ଥିଲେ ହେଁ ଲୋ ସ୍କୋରିଂ ମ୍ୟାଚ୍କୁ ୧୯ ଓଭର ପର୍ଯ୍ୟନ୍ତ ନେବା ଦଳ ପାଇଁ ଆଗାମୀ ସମୟରେ ମୁସ୍କିଲ ସ୍ଥିତି ସୃଷ୍ଟି କରିପାରେ। ଏହି ବିଜୟ ପରେ ବି ଭାରତ ଗ୍ରୁପ ଏର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପରାଜୟ ପରେ ବି ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ଦଳ ଏହି ମ୍ୟାଚ୍କୁ ଅଳ୍ପ ଓଭରରେ ସାରିବାକୁ ଥରୁଟିଏ ବି ରିସ୍କ ଉଠାଇ ନ ଥିଲା। ଏହାର କାରଣ ପିଚ୍ ଧିମା ଓ ଆଉଟ୍ ଫିଲ୍ଡ ଭଲ ନ ଥିଲା। ବଲ୍ ସୀମା ରେଖା ପାଖକୁ ପହଞ୍ଚିବା ମୁସ୍କିଲ ହୋଇଥିଲା।*
*ମ୍ୟାଚ୍ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ କୌଣସି ବି ବ୍ୟାଟର ବଡ଼ ସ୍କୋର କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୦୫ ରନ କରି ପାରିଥିଲା। ପାକିସ୍ତାନ ପକ୍ଷରୁ ନିଦା ଡାର ୨୮ ରନ, ମୁନିବା ଅଲ୍ଲୀ ୧୭, ସୈୟଦ ଅରୁବ ଶାହ ୧୪ ଓ ଅଧିନାୟକ ଫାତିମା ସନା ୧୩ ରନ କରିଥିଲେ। ଭାରତ ପକ୍ଷରୁ ଅରୁଣଧତି ରେଡ୍ଡୀ ୩ଟି ସଫଳତା ହାସଲ କରିଥିଲେ। ଶ୍ରେୟଙ୍କା ପାଟିଲକୁ ଦୁଇଟି ଓ୍ଵିକେଟ୍ ମିଳିଥିଲା*।
*୧୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୧୮ ରନ ସ୍କୋରରେ ସ୍ମିତି ମନ୍ଧାନା (୭ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଶେଫାଳି ବର୍ମା ଓ ଜେମିମା ରୋଡ୍ରିଗଜ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ିଥିଲେ। ଶେଫାଳି ୩୫ ବଲରୁ ୩୨ ରନ କରି ପାଭିଲିୟନ ଫେରିଥିଲେ। ଜେମିମା ୨୩ ରନ କରିଥିବା ବେଳେ ରିଚା ଘୋଷ ଖାତା ଖୋଲିପାରି ନ ଥିଲେ। ଅଧିନାୟକ ହରମପ୍ରୀତ କୌର ୨୯ ରନର ଦ୍ରୁତ ଇନିଂସ ଖେଳି ରିଟାୟର୍ଡ ହଟ୍ ହୋଇଥିଲେ। ଦୀପ୍ତି ଶର୍ମା ୭ ରନ ଓ ଏସ ସଜନା ୪ ରନ କରି ଅପରାଜିତ ଥିଲେ। ଭାରତ ଧିମା ବ୍ୟାଟିଂ କରି ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା*।
0 Comments