ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଭତା ହିତାଧିକାରୀ

 



ନୟାଗଡ ଜିଲ୍ଲାରେ ଭତା ଦୁର୍ନୀତି ଚାଲିଥିବା ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି। ସୁସ୍ଥସବଳ ମାନଙ୍କୁ ଭିନ୍ନକ୍ଷମ ଦର୍ଶାଇ ଭତା ଦେଇଥିବା ପ୍ରଶାସନ ଏବେ ଚିନ୍ତାରେ ପଡିଲାଣି। କିଏ ଯୋଗ୍ୟ ଆଉ କିଏ ଅଯୋଗ୍ୟ ସେମାନଙ୍କୁ ଚିହ୍ନଟ କରିବାରେ ବିଳମ୍ବ ହେଉଥିବା ବେଳେ କିଛି ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ଏମାନଙ୍କ ଲାଗି ହଇରାଣ ହେଉଛନ୍ତି। ଅଯୋଗ୍ୟ ମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଦ୍ବାରା ଦିନକୁ ଦିନ ନୂଆଗାଁ ବ୍ଲକରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଯାହାକୁ ନେଇ ଆଜି ଢେଙ୍କେଣା ପଂଚାୟତର କିଛି ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଂଚି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।

ଅଭିଯୋଗ ମୁତାବକ, ଢେଙ୍କେଣା ପଂଚାୟତର କିଛି ଭିନ୍ନକ୍ଷମ ହିତାଧିକାରୀ ମାନେ ବହୁବର୍ଷ ଧରି ଭତା ପାଇ ଆସୁଛନ୍ତି। ହେଲେ କିଛି ମାସ ହେଲା ସେମାନଙ୍କୁ ଭତା ପ୍ରଦାନ କରାଯାଉନାହିଁ। ସେମାନେ ଅଭିଯୋଗ ନେଇ ପଂଚାୟତ ଏବଂ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ସୁଦ୍ଧା ସେମାନଙ୍କୁ ଭତା ଟଙ୍କା ମିଳୁନାହିଁ। ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ହିତାଧିକାରୀ ମାନେ କୌଣସି ଉପାୟ ନପାଇ ଆଜି ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ଖବରପାଇ ନୂଆଗାଁ ବିଡିଓ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଧାରଣାରତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରାଯାଇ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୃତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ। ତେବେ ଯେଉଁ ଅଧିକାରୀ ମାନେ ଭିନ୍ନକ୍ଷମ ସାଟିର୍ଫିକେଟ ପ୍ରଦାନ କରୁଛନ୍ତି ସେମାନଙ୍କୁ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚିହ୍ନଟ କରିବାର ତଦନ୍ତ ଦାୟିତ୍ବ ନଦେଇ ଏଥିପାଇଁ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣସାରିକା ଜେନାଙ୍କୁ ପଚାରିବାରେ, ବିଡିଓଙ୍କ ପରାମର୍ଶ କ୍ରମେ ଆମେ ହିତାଧିକାରୀ ମାନଙ୍କର ପୁନଃଯାଂଚ କରିବୁ ବୋଲି କହିଛନ୍ତି।


Post a Comment

0 Comments