ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ… ଜନ୍ମାଷ୍ଟମୀରେ ଜାଣନ୍ତୁ ପ୍ରଭୁଙ୍କ ଧରାବତରଣର ରହସ୍ୟ

 ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ ପ୍ରତାପୀ କଂସର ପ୍ରକୋପରେ ପୃଥିବୀ ପ୍ରକମ୍ପିତ ହେଉଥିଲା । ଅତିଶୟ ଅନ୍ୟାୟ, ଅଧର୍ମ, ଅତ୍ୟାଚାର ଓ ଅନୀତିରେ ଅତିଷ୍ଠ ଭୁମଣ୍ଡଳ । ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବିବାହପରେ ବିଦାୟ ଦେବା ସମୟରେ ଶୁନ୍ୟବାଣୀ ହେଲା ‘ଦେବକୀର ଅଷ୍ଟମଗର୍ଭ ସନ୍ତାନ ତୋର ବିନାଶ କରିବ’ ।


ଶୂନ୍ୟବାଣୀରେ ଭୟଭୀତ କଂସ ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କାରଗାରରେ ବନ୍ଦୀକରି ଦେବକୀଙ୍କର ସମସ୍ତ ସନ୍ତାନମାନଙ୍କୁ ନିଧନ କରିବାକୁ ନିଷ୍ପତ୍ତି ନେଲେ । ଭାଦ୍ରକୃଷ୍ଣ ଅଷ୍ଟମୀ ମଧ୍ୟରାତ୍ର, ଦେବକୀଙ୍କର ଅଷ୍ଟମ ଗର୍ଭବେଦନା ଭେଦକରି ଭୂମିଷ୍ଠ ହୋଇଥିଲେ ଭଗବାନ ବାସୁଦେବ(କୃଷ୍ଣ) । ଦୁରାଚାରୀ କଂସର ପ୍ରହରାରତ ବନ୍ଦୀଶାଳାରୁ ପୁତ୍ର ବାସୁଦେବଙ୍କୁ ରକ୍ଷାକରିବା ପାଇଁ ପିତା ବସୁଦେବ ମୁଣ୍ଡଉପରେ ଝୁଡିମଧ୍ୟରେ ରଖି ବାହାରିଲେ ବନ୍ଧୁ ନନ୍ଦରାଜାଙ୍କ ଘରକୁ । ସେତେବେଳେ ଚାରି ମେଘ ଏକାଠି ହୋଇ ପ୍ରଚଣ୍ଡ ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା ।

ସପ୍ତଫେଣୀ ଅନନ୍ତନାଗ ପ୍ରଭୁଙ୍କୁ ବର୍ଷାଦାଉରୁ ରକ୍ଷାକରିବା ପାଇଁ ବସୁଦେବଙ୍କ ଅଗୋଚରରେ ଛତାଭଳି ଘୋଡାଇ ଚାଲିଥିଲେ । ଏହି ସମୟରେ କଂସରାଜାଙ୍କ ଆଜ୍ଞାରେ ପିତା ଉଗ୍ରସେନ କର୍ତ୍ତବ୍ୟରତ ରାତ୍ରି ଜଗୁଆଳି ଭାବେ ବସୁଦେବଙ୍କ ପଥରୋଧ କରନ୍ତି । ଘୋର ଅନ୍ଧକାର ମଧ୍ୟରେ ବିଜୁଳିର ଝଲକ୍ ଆଲୋକରେ ଜ୍ୱାଇଁ ବସୁଦେବଙ୍କୁ ଜାଣିସାରିବା ପରେ ମଧ୍ୟ ଉଗ୍ରସେନ କର୍ତ୍ତବ୍ୟର ଅଙ୍ଗୀକାରବଦ୍ଧ ହୋଇ ବାଟ ଓଗାଳିଥିଲେ । ବସୁଦେବ ଦଣ୍ଡବତ ହୋଇ ଯେତେ ନେହୁରା ହେଲେ ମଧ୍ୟ ଉଗ୍ରସେନ ନଛୋଡ ବନ୍ଧା । ଏହାପରେ ଭଗବାନ କୃଷ୍ଣ ଭକ୍ତ ଉଗ୍ରସେନଙ୍କୁ ତାଙ୍କର ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ କରାଇଥିଲେ । ସେତେବେଳେ ଲମ୍ବହୋଇ ପଡିଲେ ଉଗ୍ରସେନ ।

Post a Comment

0 Comments