★ ହଷ୍ଟେଲରେ ଜଳସଂକଟ, ବିପଦରେ ଅନ୍ତେବାସୀ ଛାତ୍ର
★ ଶୈାଚ ଓ ଗାଧୋଇବା ପାଇଁ ସାହାରା ସାଜିଛି ବୃତ୍ତଙ୍ଗ ନଦୀ
★ ଫେଲ୍ ମାରିଛି ୩୯ ଲକ୍ଷ ଟଙ୍କାର ପ୍ରକଳ୍ପ
ଦଶପଲ୍ଲା : - ( ରତ୍ନାକର ହୋତା ) ସମସ୍ୟା ଘେରରେ ଆଦିବାସୀ ମଂଗଳ ବିଭାଗ ଦ୍ବାରା ପରିଚାଳିତ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଅନ୍ତେବାସୀ ଛାତ୍ରଙ୍କୁ ମିଳୁନି ମୈାଳିକ ସୁବିଧା। ଅନ୍ତେବାସୀ ଛାତ୍ରଙ୍କ ପାଇଁ ପାନୀୟଜଳର ସମସ୍ୟା ଲାଗି ରହିଛି। ଯାହାକି ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀ ସାହାରା ସାଜିଥିବା ଦେଖିବାକୁ ମିଳିଛି। ବିପଦ ସଂକୁଳ ଭାବରେ ହଷ୍ଟେଲରେ ରହୁଥିବା ଶତାଧିକ ଛାତ୍ର ଖରସ୍ରୋତା ବୃତ୍ତଙ୍ଗ ନଦୀକୁ ଯାଉଥିବା ବେଳେ କୈାଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ପାନୀୟଜଳର ସମସ୍ୟା ନେଇ ପ୍ରାୟ ୩୯ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ପାନୀୟଜଳ ପ୍ରକଳ୍ପ ଫେଲ ମାରିଥିବା ହେତୁ ବାଧ୍ୟହୋଇ ଅନ୍ତେବାସୀ ମାନେ ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀକୁ ଯାଉଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକେଶ ଦୁଗଲ। ଯାହାକି ଘଟଣା ସମ୍ପର୍କରେ ସମସ୍ତ ଅଧିକାରୀ ଅବଗତ ଥିବା କହିଛନ୍ତି। ବିଶେଷକରି ଦେଖିବାକୁ ଗଲେ ଉକ୍ତ ବିଦ୍ୟାଳୟଟି ବିଭିନ୍ନ ଘଟଣାକୁ ନେଇ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛି। ଚଳିତବର୍ଷ ଉକ୍ତ ବିଦ୍ୟାଳୟରେ ପ୍ରଥମ ଠାରୁ ୧୦ମ ପର୍ଯ୍ୟନ୍ତ ୩୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ହଷ୍ଟେଲରେ ୨୪୦ ଜଣ ଅନ୍ତେବାସୀ ଛାତ୍ର ରହୁଛନ୍ତି। ହେଲେ ଅନ୍ତେବାସଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୈାଚାଳୟ ନଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ୧୨ଟି ଶୈାଚାଳୟ ରହିଥିବା ବେଳେ ବାଧ୍ୟହୋଇ ଛାତ୍ରମାନେ ନଦୀକୁ ଶୈାଚ ପାଇଁ ଯାଇଥାନ୍ତି। ସେହିଭଳି ପାଣିର ସମସ୍ୟା ପାଇଁ ଏଭଳି ଦୈନିକ ନଦୀକୁ ଗାଧୋଇ ଯିବାକୁ ପଡ଼ୁଥିବା କହିଛନ୍ତି। ବଡ଼କଥା ହେଉଛି ବର୍ଷାଦିନେ ନଦୀରେ ଖରସ୍ରୋତା ପାଣି ପ୍ରବାହିତ ହେଉଛି। ନଦୀରେ ବଡ଼ବଡ଼ ପଥର ରହିଥିବା ବେଳେ ବିଗତ ଦିନରେ ମଧ୍ୟ ଅନେକ ବ୍ୟକ୍ତି ଭାସି ପ୍ରାଣ ହରାଇଛନ୍ତି। ହେଲେ ଶିକ୍ଷାଲାଭ ପାଇଁ ଦୂରଦୂରାନ୍ତରୁ ଆସି ରହୁଥିବା ଛାତ୍ରଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଥିବା ଦେଖିବାକୁ ମିଳିଛି। ୩୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପଟି ବୃତ୍ତଙ୍ଗ ନଦୀ କୂଳରେ ନିର୍ମାଣ ହୋଇଥିବା ବେଳେ ଏହା ଶୁଖିଲା ପଡ଼ିବା ଉକ୍ତ ପ୍ରକଳ୍ପର ନିର୍ମାଣ ଶୈଳୀକୁ ନେଇ ସନ୍ଦେହ ସୃଷ୍ଟି କରିଛି। ସେହିଭଳି ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟରେ ଖାଦ୍ୟ ନିମ୍ନମାନରକୁ ନେଇ ନାନା ସମସ୍ୟା ସୃଷ୍ଟି ହୋଇଛି। ଶିକ୍ଷକଙ୍କ ମେରୀରାୟ ନୀତିକୁ ନେଇ ତତ୍କାଳୀନ ଜିଲ୍ଲାପାଳ ଡ଼. ପୋମା ଟୁଡ଼ୁ କିଛି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବା ବେଳେ ପରବର୍ତ୍ତି ସମୟରେ ପୁଣି ଉକ୍ତ ବିଦ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି। ଏସମ୍ପର୍କରେ ଡ଼ବ୍ଲୁଇଓ ଜୋର୍ତିମୟୀ ନାୟକ କହିଛନ୍ତି ପିଲାଙ୍କୁ ନଦୀକୁ ଛାଡ଼ିବାକୁ ବାରଣ କରାଯାଇଥିଲା। ଏସମ୍ପର୍କରେ ଦେଖୁଛି ବୋଲି କହିଛନ୍ତି।
0 Comments