ଓଡିଆ ସାହିତ୍ଯ ଇତିହାସ

 

ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲା ସାହିତ୍ୟକୁ ବଞ୍ଚାଇ ରଖିବାର ଏକ ମାତ୍ର ଉପାୟ । ତେଣୁ ମନେ ରଖିବାର ସୁବିଧା ନିମନ୍ତେସବୁ କଥାକୁ ପଦ୍ୟର ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ୟା, ଆକାଶ ବିଦ୍ୟା, ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ୟସବୁ ରଚା ଯାଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ମିଳିଅଛି । ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କର ଜନ୍ମଜାତକ (ବୁଦ୍ଧଜାତକ), ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥମାନଙ୍କ ଲେଖା ଚର୍ଯ୍ୟଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ସମୟରେ ଏହା ଖୁବ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । କେତେକ ସ୍ଥଳରେ ଉତ୍ତର ଆଧୁନିକ ସାହିତ୍ୟର ଉକ୍ତି ଦେଖିବାକୁ ମିଳିଥାଏ ।

ବିଭାଗୀକରଣ

ଓଡ଼ିଆ ସାହିତ୍ୟର ସମୟକାଳକୁ ବିଭିନ୍ନ ଯୁଗ ଅନୁସାରେ ବଣ୍ଟାଯାଇଥାଏ, ସେସବୁ ହେଲା: ଚର୍ଯା ଯୁଗସାରଳା ଯୁଗପଞ୍ଚସଖା ଯୁଗରୀତି ଯୁଗରାଧାନାଥ ଯୁଗସତ୍ୟବାଦୀ ଯୁଗପ୍ରଗତି ଯୁଗସବୁଜ ଯୁଗ ଓ ସ୍ୱାଧୀନତା ପରର ଯୁଗ । କିନ୍ତୁ ଭାଷାବିତମାନଙ୍କର ଏହି ସମୟକ୍ରମ ଅନୁସାରେ ଆମେ ଓଡ଼ିଆ ସାହିତ୍ୟକୁ ଭାଗ କଲେ ଓଡ଼ିଆ ସାହିତ୍ୟର ବିକାଶର ସଠିକ ଚିତ୍ର ପାଇ ପାରିବା ନାହିଁ |

ବୁଝିବାର ସୁବିଧା ନିମନ୍ତେ ଆମ ସାହିତ୍ୟକୁ ଦୁଇଟି ଭାଗରେ ବିଭକ୍ତ କରା ଯାଇଛି । କଥିତ ସାହିତ୍ୟ ଓ ଲିଖିତ ସାହିତ୍ୟ । କଥିତ ସାହିତ୍ୟ ସାଧାରଣ ଲୋକ ମୁଖରେ ପ୍ରଚଳିତ କଥା, କବିତା ଆଦିକୁ ବୁଝାଏ ।

ସାଧାରଣ ଲୋକେ ନିଜର ଆନନ୍ଦ, ବିଷାଦ, ଆଶା, ଆକାଂକ୍ଷାକୁ ଗୀତ ଓ ଗପ ମାଧ୍ୟମରେ ପ୍ରକାଶ କରିଥାନ୍ତି । ଗାଁ ଗହଳରେ ଅନେକ ଭାବପ୍ରବଣ ଲୋକ ମୁହେଁ ମୁହେଁ ଗୀତ ବାନ୍ଧି ଦେଇଥାନ୍ତି । ସେ ଗୀତ ଅନ୍ୟମାନେ ଶୁଣନ୍ତି ଓ ମନେ ରଖିଥାନ୍ତି । ଏମିତି ପିଢ଼ି ପରେ ପିଢ଼ି ସେହି ଗୀତ, ଢଗ ଢମାଳି, ପ୍ରବଚନ ଆଦି କାନରୁ କାନକୁ ଯାଏ ଓ ପୁରୁଷ ପୁରୁଷ ଯାଏଁ ସେସବୁ ଲୋକକୁ ଗାଇ ବୁଲୁଥାନ୍ତି । ଏହି କଥିତ ସାହିତ୍ୟର ଲେଖକ କିଏ, ତାହା ଆକଳନ କରିବା ଅସମ୍ଭବ । ହେଲେ ସେଥିରେ ସାଧାରଣ ଲୋକଙ୍କର ଜୀବନ ଛବି ଅଙ୍କାଯାଇଥାଏ ଓ ସାଧାରଣ ଭାଷାରେ ପ୍ରକାଶିତ ହୋଇଥାଏ । ଏସବୁର ମୂଲ୍ୟ ସାହିତ୍ୟ ଓ ଭାଷା ପାଇଁ ଖୁବ ବେଶୀ । ଓଡ଼ିଆ ସାହିତ୍ୟରେ କାନ୍ଦଣା, ଓଷାଗୀତ, ଦୋଳିଗୀତ, ଶଗଡ଼ିଆ ଗୀତ, ଚଷା ଗୀତ, ନାଉରିଆ ଗୀତ ଆଦି ରହିଛି ।

ରାମ ହେ ଲଇଖଣ* ହେ ଗଲେ ମିରିଗ ମାରି...ହୁ...ଡ଼...ରରର....

— ଚଷା ଗୀତ
*ଲଇଖଣ: ଲକ୍ଷ୍ମଣ, ପୁରାତନ ଓଡ଼ିଆ

ଓଷାବ୍ରତ ଆଦିରେ ଗାନ କରାହେବା ଲାଗି ମଧ୍ୟ ଅନେକ ଗୀତ ରହିଛି । ଆଦିବାସୀମାନଙ୍କ କରମା ଗୀତ, ପାଲା ଓ ଦାସକାଠିଆ ସଙ୍ଗୀତବାଲେଶ୍ୱରର ଚଢ଼େଇଆ ସଙ୍ଗୀତ ଆଦିସବୁ ଏହି ଶ୍ରେଣୀର । ଗୀତ ପରି କଥା ଓ କାହାଣୀ ବି ଲୋକମୁଖରେ ଚଳୁଅଛି । ସେସବୁକୁ ଲୋକ କଥା କୁହାଯାଏ । ଭୁତ, ପ୍ରେତ, ଦେବତା, ଅସୁର, ଅସୁରୁଣୀ, ରଜାପୁଅ, ସାଧବପୁଅ, ପଶୁପକ୍ଷୀ, ଗାଈଆଳ, ଚଷା, ବିଧବା ଏ ସଭିଙ୍କୁ ନେଇ ଅନେକ ପଲ୍ଲୀ ଗୀତ ଓ କଥା ତିଆରି ହୋଇଛି ।

ସେହିପରି ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ, କଳାହାଣ୍ଡିର ଦେଶିଆ ଓଡ଼ିଆ, ବାଲେଶ୍ୱରଭଦ୍ରକମୟୂରଭଞ୍ଜ ଆଦି ଉତ୍ତର ଓଡ଼ିଶାର ଜିଲାରେ କଥିତ ବାଲେଶ୍ୱରୀ ଓଡ଼ିଆ ତଥା ଦକ୍ଷିଣ ଓଡ଼ିଶାର ଗଞ୍ଜାମଗଜପତି ଆଦିରେ କଥିତ ଭାଷା ଗଞ୍ଜାମି ଓଡ଼ିଆରେ ଅନେକ ଲୋକ କଥା ଓ ଲୋକଗୀତ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଅଛି ।

Post a Comment

0 Comments