ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବ। ଗତକାଲି ଶ୍ରୀନହରରେ ଗଜପତିଙ୍କ ଦ୍ଵାରା ଆଚାର୍ଯ୍ୟ ବରଣ ଓ ଆଙ୍କୁରାରୋପଣ ପରେ ଆଜି ଅଙ୍କୁର ପୂଜନ ,ପ୍ରଥମ ମଣ୍ଡଳ କଟା ଶେଷ ହୋଇଛି।ଏଥିସହ ଲୋକାର୍ପିତ ହେବାକୁ ଥିବା ଅଷ୍ଟଧାତୁ ଫଳକର ମାପଚୁପ ମଧ୍ୟ କରାଯାଇଛି।
ଯଜ୍ଞରୂପୀ ଜଗନ୍ନାଥ। ତେଣୁ ତାଙ୍କର ଭକ୍ତଙ୍କ ପାଇଁ ହେଉଥିବା ମନ୍ଦିର ପରିକ୍ରମା ପ୍ରକଳ୍ପର ଯଜ୍ଞ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଥିଲା। ଗତକାଲି ଆଦ୍ୟ ସେବକ ଗଜପତିଙ୍କ ଦ୍ଵାରା ଗୁଆ ଟେକା,ଆଚାର୍ଯ୍ୟ ବରଣ ପରେ ଅଙ୍କୁରା ରୋପଣ ହୋଇଥିଲା। ଆଜି ଯଜ୍ଞ ମଣ୍ଡପ ପାର୍ଶ୍ଵରେ ହୋଇଥିବା ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶିଷ୍ଟ ଅଙ୍କୁରା ରୋପଣ ଗୃହରେ ପୂର୍ବାହ୍ନ ୧୧ ଟା ପରେ ବରଣ ହୋଇଥିବା ୧୦ ପ୍ରମୁଖ ଶୋତ୍ରିୟ ବ୍ରାହ୍ମଣଙ୍କ ଦ୍ଵାରା ଅଙ୍କୁର ପୂଜନ ହୋଇଥିଲା। ପରେ ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ଅଙ୍କୁର ପୂଜନ କରାଯାଇଥିଲା। ଅଙ୍କୁରା ରୋପଣ ହୋଇଥିବା ୭ ପ୍ରକାର ଶସ୍ୟରେ ଏହି ଅଙ୍କୁର ପୂଜନ ସହ ଉତ୍ସର୍ଗ ପୂଜା ହୋଇଥିଲା। ଏହା ପରେ ମୁଖ୍ୟ ଯଜ୍ଞ ମଣ୍ଡପରେ ପ୍ରଥମ ମଣ୍ଡଳ କଟା
ଶେଷ ହୋଇଥିଲା। ୪୮ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ଵାରା ଆସନ୍ତା ୧୫ ତାରିଖରୁ ୩ ଦିନ ଧରି ଯଜ୍ଞ କରାଯିବ। ଏଥି ସହ ଲୋକାର୍ପଣ ପଥର ଫଳକରେ ଅଷ୍ଟଧାତୁ ଖୋଦେଇ ହେବ। ପଥର ଚତୁଃପାର୍ଶ୍ଵ କନା ଦ୍ଵାରା ଆବୃତ୍ତ ଦୁଇ ପାର୍ଶ୍ଵରେ ୬ ଇଞ୍ଚରେ ଝାଲର ଲାଗିବ।ଫଳକରେ କନା ଆବୃତ୍ତ ତଥା ଝାଲର ଲାଗିବା ପାଇଁ ଆଜି ମାପଚୁପ ଶେଷ ହୋଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ଵରେ ରହିଛି ଲୋକାର୍ପଣ ପଥର ଫଳକ।
ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ଵାରରେ ବେଦ ପାଠ ପାଇଁ ସ୍ଵତନ୍ତ୍ର ଭାବେ ମଣ୍ଡପ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ। ପୂର୍ବ ବା ସିଂହଦ୍ଵାରରେ ଋକ୍ ବେଦ,ପଶ୍ଚିମ ଦ୍ଵାରରେ ସାମ ବେଦ ,ଉତ୍ତର ଦ୍ଵାରରେ ଅଥର୍ବ ବେଦ,ଦକ୍ଷିଣ ଦ୍ଵାରରେ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯିବ। ଅନ୍ୟପଟରେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟ ଅଧିକାରୀଙ୍କ ସହ ମିଶି ସମୀକ୍ଷା କରିଥିଲେ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମାର୍ଗ ଦେଇ ଯଜ୍ଞ ସ୍ଥଳକୁ ଆସିବେ। ମନ୍ତ୍ରୀ ,ସାଂସଦ,ଅତିଥି ମାନେ ମଧ୍ୟ ଶ୍ରୀମାର୍ଗ ଦେଇ ଆସିବେ। ସବୁ ପ୍ରକଳ୍ପ କାମ ଶେଷ ହୋଇଛି। ବର୍ତ୍ତମାନ ୧୭ ତାରିଖ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଉତ୍ତର ପାର୍ଶ୍ଵ ମଠ ପାଖରେ ୯୦୦ ଅତିଥିଙ୍କ ବସିବା ,ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଲ୍ ଇ ଡି ସ୍କ୍ରିନ ମାଧ୍ୟମରେ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅତିଥିଙ୍କ ସହ ସାଧାରଣ ଲୋକ ଦେଖିପାରିବେ। ୧୭ ତାରିଖ ଅପରାହ୍ନ ୩ ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ। ମକର ସଂକ୍ରାନ୍ତି ସହ ୧୭ ତାରିଖ ପର୍ଯ୍ୟନ୍ତ ଦର୍ଶନରେ କୌଣସି କଟକଣା ରହିବ ନାହିଁ। ଶ୍ରୀମନ୍ଦିର ଚାରି ଦ୍ଵାର ଫୁଲରେ ସଜ୍ଜିତ କରାଯିବା ସହ ଚାରି ଦ୍ଵାରରେ ବେଦ ପାଠ କରାଯିବ। ବେଦ ପାଠ ଓ ଯଜ୍ଞର ମନ୍ତ୍ର ଧ୍ୱନି ବଡ଼ଦାଣ୍ଡରେ ସବୁ ଭକ୍ତଙ୍କ କାନରେ ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ୧୭ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନରେ କୌଣସି କଟକଣା ନାହିଁ। ତେବେ ୧୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ସ୍ଥାନ ଓ ଯଜ୍ଞ ମଣ୍ଡପ ନିକଟକୁ ଛଡାଯିବ ନାହିଁ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ।
0 Comments