ପୁରୀ : ଆଜି ପୌଷମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ରେ ଶ୍ରୀମନ୍ଦିରରେ ‘ଦୁଧ ମେଲାଣ’ ନୀତି ପାଳିତ ହୋଇଯାଇଛି। ମକର ସଂକ୍ରାନ୍ତିର ପୂର୍ବଦିନ ‘ଚାଉଳ ମେଲାଣ’ ଓ ‘ଫୁଲ ମେଲାଣ’ ନୀତି ପଡିଥାଏ ଏବଂ ମାସନ୍ତ ପୂର୍ବଦିନ ଶ୍ରୀନ୍ଦିରରେ ‘ଦୁଧ ମେଲାଣ’ ଉପଲକ୍ଷେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଆଜି ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣ ଘରୁ ରାମ କୃଷ୍ଣ ରତ୍ନସିଂହାସନକୁ ବିଜେକରି ରାମ, ବଡ଼ଠାକୁର ବଳଭଦ୍ରଙ୍କ ଠାରୁ ଏବଂ କୃଷ୍ଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ କଳ୍ପବଟ ଠାରେ ଥିବା ପାଲିଙ୍କିକୁ ମହାଜନ ସେବକଙ୍କ ଦ୍ୱାରା ଆସିଥିଲେ। ଏହା ପରେ ରାମକୃଷ୍ଣ ବିମାନବଡ଼ୁ ସେବକ ମାନଙ୍କ ଦ୍ୱାରା ଜଗନ୍ନାଥବଲ୍ଲଭ ମଠକୁ ଘଣ୍ଟ, ଛତ୍ର, ଚାମର ଆଦିର ପଟୁଆରରେ ବିଜେ କରିଥିଲେ। ସେଠାରେ ପୂର୍ବରୁ ଏକ ବାଲି ବେଦୀ ପ୍ରସ୍ତୁତ ହୋଇ ଚାନ୍ଦୁଆ ବନ୍ଧା ଯାଇଥିଲା। ଦୁଇ ଠାକୁରଙ୍କୁ ସେଠାକୁ ଆଣିବା ପରେ ଗଉଡ଼ ମାନେ ବାଘମୁହାଁ ବାନ୍ଧି ସଂଗ୍ରହ କରିଥିବା ଦୁଧ ଭାରମାନ କୋଠ ମହାଭୋଇଙ୍କୁ ଦେଇଥିଲେ ଏବଂ ମହାଭୋଇ କ୍ଷୀରର ସ୍ୱଳ୍ପ ଅଂଶକ ଭିତରଚ୍ଛଙ୍କ ନିକଟରେ ସର୍ପମଣୋହି କରି
କ୍ଷୀରର ଅବଶିଷ୍ଟାଂଶଙ୍କୁ ଭାରରେ ବୋହି ମନ୍ଦିରକୁ ଅଣାଯାଇଥିଲା। ଚଳନ୍ତି ପ୍ରତିମା ମାନେ ନାଟମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିବା ପରେ ପୂଜାପଣ୍ଡାଙ୍କ ଦ୍ବାରା ପ୍ରସାଦଲାଗି ଓ ବନ୍ଦାପନା ସମ୍ପନ୍ନ ହୋଇଥାଏ। ଏହା ପରେ ରାମ କୃଷ୍ଣ ଦକ୍ଷିଣିଘରକୁ ପ୍ରତ୍ୟାବର୍ତନ କରିଥିଲେ।
0 Comments