‘ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ’
ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ
ନୟାଗଡ଼ : ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ତଥାସ୍ତୁ ପକ୍ଷରୁ ପଣ୍ଡିତ ବିନାୟକ ମିଶ୍ର ଜୟନ୍ତୀ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଯୋଗ ଦେଇଥିଲେ । ତଥାସ୍ତୁ ଅନୁଷ୍ଠାନର ସଭାପତି ବସିରନ ବିବିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଡ. ସାହୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ ଓ ସାହିତ୍ୟ କୃତି ସମସ୍ତଙ୍କ ପାଇଁ ଏକ ଦିଗଦର୍ଶନ ଏବଂ ଯୁବପୀଢ଼ି ବିନାୟକଙ୍କ ସଂକଳ୍ପ, ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ନୟାଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।
ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ ଉପରେ ଆଲୋଚନା କରି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନାୟକ ଆର୍ଥିକ ଦୂରାବସ୍ଥା ପ୍ରତିଭାକୁ ଲୁକ୍କାୟିତ କରି ପାରିବ ନାହିଁ ଏବଂ ବିନାୟକ ମିଶ୍ର ଯୁବ ସାହିତ୍ୟିକଙ୍କ ପାଇଁ ଅନ୍ୟତମ ଆଦର୍ଶ । ବିନାୟକଙ୍କ ସାହିତ୍ୟ କୃତି ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି କହିଥିଲେ । ତଥାସ୍ତୁର ସମ୍ପାଦକ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ, ବିନାୟକ ମିଶ୍ରଙ୍କ ପରି ସାହିତ୍ୟ ପ୍ରାଣ ବ୍ୟକ୍ତିତ୍ୱ ପ୍ରାୟ ବିରଳ । ନର୍ମାଲ ଟ୍ରେନିଂ ଶେଷ କରି ନୀଳଗିରିରେ ଡ୍ରଇଁ ଶିକ୍ଷକ ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ମିଶ୍ର ନିଜର ଜ୍ଞାନ ଓ ପାଣ୍ଡିତ୍ୟ ଯୋଗୁଁ କଲିକତା ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ହୋଇ ପାରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Mediaeval Orissa, Orissa under the Bhauma Kings ଆଦି ପୁସ୍ତକ ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ଲୋକନାଥ ମିଶ୍ର, ସୁବକ୍ତା ସୁଦର୍ଶନ ପ୍ରଧାନ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ହରପ୍ରିୟା ଦ୍ୱିବେଦୀ, ସ୍ମିତା ସ୍ୱାଇଁ, ଗୋପୀନାଥ ସେଠୀ, ସୈାଦାମିନୀ ସ୍ୱାଇଁ, ନିଳୀମା ନନ୍ଦ ସଂଚାଳନ କରିଥିଲେ । ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଲଳିତ ମୋହନ ମିଶ୍ରଙ୍କ ଉପନ୍ୟାସ 'ଅନ୍ଧ ଗଳିର ନାୟିକା' , ଗୋଦାବରୀଶ ମିଶ୍ରଙ୍କ କବିତା ସଂକଳନ 'ଜୀବନ ସଙ୍ଗୀତ'କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗବେଷକ ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ତତସହିତ ତଥାସ୍ତୁ କବିତା ସମ୍ମାନ ଗୀତାଞ୍ଜଳୀ ମହାପାତ୍ର ଓ ହରପ୍ରିୟା ଦ୍ୱିବେଦୀ , ତଥାସ୍ତୁ ବ୍ୟଙ୍ଗକବି ସମ୍ମାନ ପ୍ରତାପ ସାହୁ, ତଥାସ୍ତୁ ଆଦର୍ଶ ଶିକ୍ଷୟତ୍ରୀ ସମ୍ମାନ ରିତାରାଣୀ ମିଶ୍ର ଓ ସୈାଦାମିନୀ ସ୍ୱାଇଁ, ସଂଯୋଜକ ସମ୍ମାନ ଗୋପୀନାଥ ସେଠୀଙ୍କୁ ପ୍ରଦାନ କରାଯାଇଛି । ପଣ୍ଡିତ ମିଶ୍ରଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱରଚିତ କବିତା ପାଠ ପ୍ରତିଯୋଗିତାରେ ପ୍ରିତୀପଦ୍ମା ମହାପାତ୍ର ପ୍ରଥମ, ଇପ୍ସିତା ଶତପଥୀ ଦ୍ୱିତୀୟ, ଲିଜାରାଣୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । କବିତା ଆବୃତ୍ତିରେ ସ୍ନେହାରାଣୀ ସାହୁ ପ୍ରଥମ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦ୍ୱିତୀୟ, ସଂଘମିତ୍ରା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିଠି ଲେଖା ପ୍ରତିଯୋଗୀତାରେ ଅଙ୍କିତା ପ୍ରିୟଦର୍ଶିନୀ ବେହେରା ପ୍ରଥମ, ଆଲୋକ ପ୍ରଧାନ ଦ୍ୱିତୀୟ, ତନୁଶ୍ରୀ ରାଉତ ତୃତୀୟ ସ୍ଥାନ ଅଧିକାରୀ କରିଥିବା ଅନୁଷ୍ଠାନ ସମ୍ପାଦକ ଶ୍ରୀଯୁକ୍ତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଗୋକୁଳ କୁମାର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଗାଳ୍ପିକ ଡ.ପ୍ରାଣକୃଷ୍ଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
0 Comments