ଭାରତର ପ୍ରାଚୀନ ଭାଷା ହେଉଛି ସଂସ୍କୃତ ଯାହାର ସମୃଦ୍ଧ ପରମ୍ପରା ଓ ଇତିହାସ ରହିଛି।କେବଳ ଭାରତ ନୁହେଁ ବିଶ୍ଵର ପ୍ରାଚୀନତମ ଓ ଶ୍ରେଷ୍ଠ ଭାଷାଭାବେ ମଧ୍ୟ ସଂସ୍କୃତକୁ ଗ୍ରହଣ କରାଯାଏ। ବୈଦିକ ଯୁଗରେ ଋଷିମାନେ ଭାରତୀୟ ଦର୍ଶନଶାସ୍ତ୍ରର ସ୍ରଷ୍ଟା ଅଟନ୍ତି। ଭାରତୀୟ ଦର୍ଶନର କେନ୍ଦ୍ରବିନ୍ଦୁ ହେଉଛି ବେଦ ଓ ଉପନିଷଦ ସେହିପରି ତତ୍ୱଜ୍ଞାନ ହେଉଛି ଭାରତୀୟ ସଂସ୍କୃତି ଓ ଧର୍ମର ମୂଳପିଣ୍ଡ। ବେଦ, ଉପନିଷଦ, ରାମାୟଣ, ମହାଭାରତ,ଗୀତା,ପୁରାଣ ଆଦି ମହାନ ଗ୍ରନ୍ଥର ରଚନା ପ୍ରଥମେ ସଂସ୍କୃତ ଭାଷାରେ ହୋଇଥିଲା ।
ବିଶେଷଭାବେ ଭାରତୀୟ ଦର୍ଶନ ଓ ସଂସ୍କୃତିର ଆଧାର ହେଉଛି ସଂସ୍କୃତ ଭାଷା ବୋଲି ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରିସରରେ ଆୟୋଜିତ ହୋଇଥିବା ଦଶଦିବସୀୟ ଆବାସିକ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ତଥା ଦର୍ଶନଶାସ୍ତ୍ର ଗବେଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଉଦବୋଧନ ଦେଇଛନ୍ତି। ବୈଦିକ ସଂସ୍କୃତ ପ୍ରତିଷ୍ଠାନ ଓ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସାହିତ୍ୟ ବିଭାଗର ଆଚାର୍ଯ୍ୟ ତଥା କୁଳାନୁଶାସକ ଡ. ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହେଉଥିବା ବେଳେ ମାର୍ଗଦର୍ଶକ ଭାବେ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ରବିନ୍ଦ୍ର କୁମାର ସାହୁ କାର୍ଯ୍ୟ କରୁଛନ୍ତି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ, ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ନୟାଗଡ଼,ପଠାଣି ସାମନ୍ତ ମହାବିଦ୍ୟାଳୟ ଖଣ୍ଡପଡ଼ା,ଶ୍ରୀ ନୀଳମାଧବ ମହାବିଦ୍ୟାଳୟ କଣ୍ଟିଲୋ, ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଓ କୃଷ୍ଣ ପ୍ରିୟା ମହାବିଦ୍ୟାଳୟ ଦଶପଲ୍ଲା, ଶରଣକୁଳ ମହାବିଦ୍ୟାଳୟ, ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡଗାଁ ଆଦିରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ବିଭିନ୍ନ ମହାବିଦ୍ୟାଳୟ ଏବଂ ସଂସ୍କୃତ ବିଦ୍ୱାନମାନେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି। ମୁଖ୍ୟତଃ ଲୋକକବି ଡ. କାଳିପ୍ରସନ୍ନ ଶତପଥୀ,ଅଧ୍ୟାପକ ରାଜକିଶୋର ପାତ୍ର, ଅଧ୍ୟାପିକା ଡ. ରଶ୍ମି କର,ଅଧ୍ୟାପକ ରାଜକିଶୋର ଦାସ,ଅଧ୍ୟାପକ ଅକ୍ଷୟ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପ୍ରାତଃ ସ୍ମରଣ,ଯୋଗଭ୍ୟାସ, ସଂସ୍କୃତ ସମ୍ଭାଷଣ, ବ୍ୟାକରଣ ଶିକ୍ଷଣ, ବୌଦ୍ଧିକ ଚର୍ଚ୍ଚା, ସଂସ୍କୃତ ଓ କମ୍ପ୍ୟୁଟର ଆଦି ବିଷୟରେ ଶିକ୍ଷା ପ୍ରଦାନ କରୁଛନ୍ତି। ଶ୍ରୀ ଲଡୁକେଶ ଆଞ୍ଚଳିକ ମହାବିଦ୍ୟାଳୟ ଗୋଡିପଡାର ସଂସ୍କୃତ ବିଭାଗ ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ବେଳେ ପ୍ରତ୍ୟେକ ସଂଧ୍ୟାରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଅଛି।
0 Comments