==============================
🧑✈️
*ଉତ୍କଳଗୌରବ ମଧୁସୂଦନ ଦାସ* 🧑✈️
==============================
ଆଧୁନିକ ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ୧୭୬ତମ ପୁଣ୍ୟ ଧରାବତରଣ ଦିବସ।ଜଣେ ସଚ୍ଚା ଓଡ଼ିଆ କହିଲେ ଆବାଳ ବୃଦ୍ଧବନିତା ସମସ୍ତଙ୍କ କଣ୍ଠରୁ ଝଂକୃତ ହୋଇଥାଏ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ନାମ।ଉତ୍କଳର ପ୍ରଥମ ଇଂରାଜୀ ପଢୁଆ ଏମ.ଏ.,ସ୍ୱାଧୀନତା ସଂଗ୍ରାମୀ,ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା,ଲେଖକ,କବି,ଓଡ଼ିଶାର ପ୍ରଥମ ବାରିଷ୍ଟର,ପ୍ରଥମ ଓଡ଼ିଆ ଗ୍ରାଜୁଏଟ,ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ,ଓଡ଼ିଶାର ପ୍ରଥମ ଏଲ.ଏଲ.ବି.,ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ,ପ୍ରଥମ ମନ୍ତ୍ରୀ,ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଭାବରେ ତାଙ୍କର ବିଶେଷ ନାମ ରହିଅଛି।କଟକ ଜିଲ୍ଲା ସତ୍ୟଭାମାପୁରର ଏକ ଛୋଟିଆ ଗ୍ରାମରେ ୧୮୪୮ ମସିହା ଅପ୍ରେଲ ୨୮ତାରିଖରେ ଚୌଧୁରୀ ରଘୁନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ମଧୂସୁଦନ।ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ତାଙ୍କ ପାଠପଢ଼ା ଆରମ୍ଭ ହୋଇ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍.ଏଲ୍.ବିରେ ତାଙ୍କର ପାଠ ଶେଷ ହୋଇଥିଲା।
ମଧୁବାବୁ ବି.ଏଲ୍.ଏଲ୍.ବି ପାସ କରିସାରିଲା ପରେ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି କଟକରେ ଓକିଲାତି କରିବା ସମୟରେ ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ପଡ଼ିଥିଲା କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା,କେନ୍ଦୁଝର ରାଜାଙ୍କ ମୋକଦ୍ଦମା,ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ।ଉତ୍କଳର ଗଜପତି ଦିବ୍ୟସିଂହ ଦେବ ସାଧୁ ଶିବାଦାସଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ।ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି(ପରେ ମୁକୁନ୍ଦ ଦେବ ଭାବେ ପରିଚିତ)ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତ୍ରୁଟି ଦର୍ଶାଇ ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେଓ୍ବାନୀ ମୋକଦ୍ଦମା ଦାଏର କରିଥିଲେ।ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାମହୀ ସୂର୍ଯ୍ୟମଣି ପାଟ ମହାଦେଈଙ୍କ ତରଫରୁ ମୋକଦ୍ଦମା ଲଢ଼ି ବ୍ରିଟିଶ ସରକାର ଅଯଥା ଧର୍ମରେ ହସ୍ତକ୍ଷେପ କରୁଛନ୍ତି ବୋଲି ପ୍ରତିପାଦନ କରି ମୋକଦ୍ଦମାରେ ଜୟ ଲାଭ କରିଥିଲେ।ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଜଗନ୍ନାଥଙ୍କ ପରମ ସେବକ ଗଜପତିଙ୍କ ଏହି ମୋକଦ୍ଦମାକୁ ବିନା ପାରିଶ୍ରମିକରେ ଲଢ଼ି ବିଜୟ ଲାଭ କରିଥିଲେ।
ମଧୁବାବୁ ଥିଲେ ଏହିଭଳି ଆଚରଣ ଏବଂ ଉଚ୍ଚାରଣ ମାନସିକତାର ମଣିଷଟିଏ ଯିଏକି ସାରା ଜୀବନ ଗୋଟିଏ ଜାତିର ବିକାଶ ପାଇଁ ସ୍ୱପ୍ନ ଦେଖୁଥିଲେ।ସ୍ୱାର୍ଥପରତାକୁ ଘୃଣା କରୁଥିଲେ ଏବଂ ଗ୍ରାମାଞ୍ଚଳରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।ଓଡ଼ିଆ ଜାତିର ସ୍ୱାଧୀନତା,ସ୍ୱାଭିମାନ,ସ୍ୱତନ୍ତ୍ରତା ଓ ଆତ୍ମନିର୍ଭରଶୀଳତାର ସୁରକ୍ଷା ପାଇଁ ଉତ୍ସର୍ଗ କରିଦେଇଥିଲେ ଜୀବନର ତମାମ ଶକ୍ତି,ସାମର୍ଥ୍ୟ,ଅର୍ଥ ଓ ଅନୁଭବ।ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ,ଆଇନଜୀବୀ ବା ସମାଜ ସୁଧାରକ ନ ଥିଲେ ସେ ଥିଲେ ଜଣେ ଓଡ଼ିଆ ଭାଷା ସାହିତ୍ୟର ସାଧକ ଓ ଉପାସକ।ତାଙ୍କ ରଚନାରେ ଜାତୀୟତାବୋଧ,ଆଧ୍ୟାତ୍ମିକତା ଏବଂ ତତ୍କାଳୀନ ସାମାଜିକ ଓ ରାଜନୀତିକ ଅବସ୍ଥାର ସ୍ୱର ସୁସ୍ପଷ୍ଟ ଅନୁଭୂତ ହେଉଥିଲା।ଉତ୍କଳଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା।ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ଓଡ଼ିଆ କେବେ ହେଁ ଭୁଲିପାରିବ ନାହିଁ।ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା,ତ୍ୟାଗ,ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ।ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ।ତାଙ୍କ ଜାତିପ୍ରେମ,ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସମସାମୟିକ କାଳଠାରୁ ଢେର୍ ଆଗରେ ଥିଲା।ତାଙ୍କ ଚିନ୍ତାଚେତନାକୁ ସଦାସର୍ବଦା ଆଚ୍ଛାଦିତ କରି ରଖିଥିଲା ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଓଡ଼ିଶା ଆଉ ଓଡ଼ିଆ।ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ।ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣି ତଥା ଓଡ଼ିଆ ଅସ୍ମିତାର ସୂର୍ଯ୍ୟ ଉତ୍କଳଗୌରବ ମଧୁସୂଦନ ଦାସ(ମଧୁବାବୁ) କେବଳ ତାଙ୍କର କର୍ମରେ ନୁହେଁ କବିତାର ମନଛୁଆଁ ଆବେଦନ ମଧ୍ୟରେ ଓଡ଼ିଆ ଜାତିପ୍ରାଣକୁ ଛୁଇଁ ପାରିଥିଲେ।ଜଣେ ଲେଖକ ଓ କବି ଭାବରେ ଅନେକ ଦେଶାତ୍ମବୋଧକ କାଳଜୟୀ ଲେଖାମାନ ସେ ଲେଖିଯାଇଛନ୍ତି।ତାଙ୍କର କେତୋଟି ଜଣାଶୁଣା ଲେଖାଗୁଡ଼ିକ ମଧ୍ୟରେ ରହିଛି "ଉତ୍କଳ ସନ୍ତାନ","ଜାତି ଇତିହାସ","ଜ୍ଞାନିର ଉକ୍ତି","ଜାତୀୟ ଗୀତିକା" ଇତ୍ୟାଦି।ମଧୁସୂଦନ ଦାସ ପରିଣତ ବୟସରେ ମାତ୍ର ୭ଟି କବିତା ଲେଖିଥିଲେ।ସେ ସବୁ ଥିଲା ଉତ୍କଳ ମା’କୁ ନେଇ।ମା’ କହିଲେ ସେ ନିଜ ଜନ୍ମଦାତ୍ରୀ ମା’ ନୁହେଁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ଉତ୍କଳପ୍ରଦେଶକୁ ବୁଝୁଥିଲେ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦିନ ରାତି ସ୍ୱପ୍ନ ଦେଖୁଥିବା ମଧୁବାବୁ କବିତାଗୁଡ଼ିକ ମାଧ୍ୟମରେ ଓଡ଼ିଆ ଜାତି ପ୍ରାଣରେ ଜାଗରଣ ଆଣିବାକୁ ଚେଷ୍ଟା କରିଥିଲେ।
ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାକୁ ସେ ପ୍ରାଣ ପଣେ ଲାଗି ପଡିଥିଲେ।ସେ ସମୟରେ ଓଡିଶା ପ୍ରଦେଶ ବୋଲି କିଛି ସୀମା ରେଖା ନ ଥିଲା।ଓଡ଼ିଶାର କେତେକ ଅଂଶ ବଙ୍ଗ ପ୍ରଦେଶରେ,କେତେକ ଅଂଶ ବିହାରରେ,କେତେକ ଅଂଶ ମାନ୍ଦ୍ରାଜରେ ଏବଂ କିଛି ଅଂଶ ମଧ୍ୟପ୍ରଦେଶରେ ମିଶି ରହିଥିଲାଓଡିଶା କହିଲେ କଟକ,ପୁରୀ,ବାଲେଶ୍ୱର ଓ ଅନୁଗୋଳକୁ ହିଁ ବୁଝାଉଥିଲା।ଏହାକୁ ଓଡ଼ିଶାର ଡିଭିଜନ ବୋଲି କୁହାଯାଉଥିଲା।ବିଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆ,ଓଡ଼ିଆ ନ କହି ହିନ୍ଦୀ ବଙ୍ଗଳା ଓ ତେଲୁଗୁ ଭାଷାରେ କଥା ହେଉଥିଲେ।ମଧୁବାବୁ ବିଚାର କଲେ ପ୍ରଥମେ ସେ ଓଡ଼ିଆ ମାନଙ୍କୁ ଏକତ୍ର କରିବେ ଏବଂ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରିବେ ତେଣୁ ସେ ବିଛିନ୍ନ ଓଡ଼ିଆ ଭାଷୀମାନଙ୍କୁ ଏବଂ ଓଡ଼ିଶାବାସୀମାନଙ୍କୁ ଏକ ଶାସନାଧୀନ କରିବା ପାଇଁ ଉଦ୍ୟମ ଆରମ୍ଭ କଲେ।ସେଥିପାଇଁ ସେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରି ସୁପ୍ତ ଓଡ଼ିଆଙ୍କ ପ୍ରାଣରେ ଜାତି ପ୍ରେମର ବହ୍ନି ପ୍ରଜ୍ବଳିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ,ମହାରାଜ କୃଷ୍ଣଚନ୍ଦ୍ର ଗଜପତି,ଉତ୍କଳ କେଶରୀ ହରେକୃଷ୍ଣ ମହତାବ,ଲିଙ୍ଗରାଜ ପାଣିଗ୍ରାହୀ,ରାମଚନ୍ଦ୍ର ଦେବ,ବିକ୍ରମ ଦେବ,ଫକିର ମୋହନ ସେନାପତି,ଗୋଦାବରୀଶ ମିଶ୍ର,ଆଚାର୍ଯ୍ୟ ହରିହର ଆଦି ସୁଯୋଗ୍ୟ ସନ୍ତାନ ଗଣ।ବିଭିନ୍ନ ସଭାସମିତିରେ ଭାଷଣ ଦେଇ ଓଡ଼ିଆ ବାସୀଙ୍କ ମନରେ ଏକତାର ସୂତ୍ରପାତ୍ର କରିଥିଲେ।ସେ ବହୁ କବିତା ଲେଖି ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରିଥିଲେ।ଉତ୍କଳ ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ମଧୁବାବୁ ଲେଖିଥିଲେ👇
*ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ*
*କୋଟି ପ୍ରାଣବିନ୍ଦୁ ଧରେ,*
*ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ*
*ଡେଇଁପଡ଼ି ସିନ୍ଧୁ ନୀରେ ।*
ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବିଷୟରେ ଲୋକଙ୍କୁ ବୁଝାଇବାକୁ ଯାଇ ଏହି ଐତିହାସିକ କବିତାଟି ଲେଖିଥିଲେ ମଧୁସୂଦନ ଦାସ।ସମ୍ମିଳନୀ ମଞ୍ଚରୁ ଗାନ କରାଯାଇଥିବା ଏହି କବିତା ଓଡ଼ିଆମାନଙ୍କ ପାଇଁ ଥିଲା ଅଗ୍ନିମୟ ଆହ୍ବାନ।ସେ ଆହ୍ବାନର ପ୍ରତିଟି ଶବ୍ଦର ବହ୍ନି ଏଭଳି ପ୍ରଜ୍ଜ୍ବଳିତ ହେଲା ଯେ ତାର ଯାଦୁକରୀ ମାୟାରେ ଚେଇଁ ଉଠିଲା ସମଗ୍ର ଓଡିଆ ଜାତି।ମଧୁବାବୁ ସେଦିନ ସଫା ସଫା ବୁଝାଇ ଦେଇ କହିଥିଲେ:-👇
*ନିଜର ଜୀବନ ଜାତିକୁ ଅର୍ପଣ*
*କଲେ ମିଳେ ଜାତି ପ୍ରାଣ,*
*ଜାତୀୟ ଜୀବନ ନ ମିଳିବ କଲେ*
*ହାଟେ ବାଟେ ଅନ୍ଵେଷଣ।*
ଯେତେବେଳେ ଓଡ଼ିଆ ଏକ ପଛୁଆ ଜାତି ଭାବେ ବାହାରେ ପରିଚିତ ହେଉଥିଲା ଏବଂ ବ୍ରିଟିଶ ସରକାର ଆଗରେ ମୁହଁ ଖୋଲିବାର ସାହସ କରିପାରୁ ନଥିଲା ସେତେବେଳେ ଜାତିଗଠନ ଦିଗରେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ କବିତା ମାଧ୍ୟମରେ ଲେଖିଥିଲେ ଜାତି ହେଉଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରି ବିରାଟ ଓ ମହାନ।ଜାତିରୂପକ ନନ୍ଦିଘୋଷକୁ ଆଗକୁ ଆଗକୁ ନେବା ପାଇଁ ଆମେମାନେ ସମସ୍ତେ ନିଃସ୍ୱାର୍ଥପର ଭାବେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରି ଚାଲିବା ଏକାନ୍ତ ଆବଶ୍ୟକ।ସେଥିପାଇଁ ସେ ଲେଖିଥିଲେ 👇
*ତୁ ପରା ବୋଲାଉ ଉତ୍କଳ ସନ୍ତାନ*
*ତେବେ କିମ୍ପା ତୁହି ଭୀରୁ,*
*ତୋହର ଜନନୀ ରୋଦନ କରିଲେ*
*କହିବାକୁ କିଆଁ ଡରୁ ?”।*
*ତୋ ପୂର୍ବପୁରୁଷ କରିଥିଲେ ଜୟ*
*ଗଙ୍ଗା ଠାରୁ ଗୋଦାବରୀ,*
*ତାଙ୍କରି ଔରସୁ ଜନମି ଲଭି ତୁ*
*କେଉଁ ଗୁଣେ ତାଙ୍କୁ ସରି ।*
*ଜାତି ନନ୍ଦିଘୋଷ ଚଳିବ କି ଭାଇ*
*ସ୍ଵାର୍ଥକୁ ସାରଥୀ କଲେ,*
*ଟାଣେ କିରେ ଗାଡ଼ି ଦାନାର ତୋବଡ଼ା*
*ଘୋଡ଼ା ମୁହେଁ ବନ୍ଧା ଥିଲେ।*
*ଜାତିର ଉନ୍ନତି ସେ କାଁହୁ କରିବ*
*ସ୍ଵାର୍ଥେ ବ୍ୟସ୍ତ ଯାର ମନ*
*ଶାଗୁଣା ବିଲୁଆ ଚିକିତ୍ସକ ହେଲେ*
*ଶବ କି ପାଇବ ପ୍ରାଣ ।*
*ଉଠରେ ଉଠରେ ଉତ୍କଳ ସନ୍ତାନ*
*ଉଠିବୁ ତୁ କେତେ ଦିନେ,*
*ପୂରୁବ ଗୌରବ ପୂରୁବ ସାହସ*
*ପଡ଼ିବ କି କେବେ ମନେ।*
*ତୋହର ଜନନୀ ବୀର ପ୍ରସବିନୀ*
*ଧୂଳିରେ ପଡ଼ିଛି ଦେଖ,*
*ଜନ ସମାଜରେ ଏ ମହୀ ମଧ୍ୟରେ*
*କିପରି ଦେଖାଉ ମୁଖ।*
ପରାଧୀନତାରୁ ମୁକୁଳିବା ପାଇଁ ପ୍ରତି ବ୍ୟକ୍ତିର ଜୀବନକୁ ଟପି ଏହି ଜାତିପ୍ରାଣ ବା ଜାତୀୟ ଜୀବନ ଯେ କେତେ ଜରୁରୀ ତାହା ସେ ‘ସନ୍ତାନର ଉକ୍ତି’ କବିତା ମାଧ୍ୟମରେ ପ୍ରକାଶ କରିଥିଲେ:-👇
*ମା’ ମା’ ବୋଲି କେତେ ମୁଁ ଖୋଜିଲି*
*ମା’କୁ ପାଇଲି ନାହିଁ,*
*ଭାଇଭାଇ ବୋଲି କେତେ ମୁଁ ଡାକିଲି*
*ନଦେଲେ ଉତ୍ତର କେହି।*
*ଖୋଜିଲି ଅରଣ୍ୟ ଜନ ସମାଜରେ*
*ଖୋଜିଲି ବାରିଧି ତଟ*,
*ସର୍ବତ୍ର ଦେଖିଲି ମାତା ପଦଚିହ୍ନ*
*ନ ହେଲା ମାତାର ଭେଟ।,*
*ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର*
*ସ୍ୱାର୍ଥକୁ ଦିଅ ଆହୁତି,*
*ସ୍ୱାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ*
*ଛାତିକୁ ମିଶାଇ ଛାତି।*
*ଭୂମିକମ୍ପ ହେବ ଧରଣୀ ଫାଟିବ*
*ଉଠିବେ ସହସ୍ର ଭୁଜା,*
*ସେହିତୋରମାତା ସେହି ତୋର ଭ୍ରାତା*
*କର ସେହି ପାଦ ପୂଜା।*
ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଅନେକ ଦଶନ୍ଧି ବିତିଯାଇଛି।ସେହିପରି ଦେଶ ସ୍ୱାଧୀନ ହେବାର ମଧ୍ୟ ଅନେକ ବର୍ଷ ପାର ହୋଇଯାଇଛି ହେଲେ ଉତ୍କଳଗୌରବ ମଧୁସୂଦନ ଦାସ ଉତ୍କଳ ମା’କୁ ଖୋଜିବାର ଏହି ତୀବ୍ର ଭାବାବେଗ ଏବେ ବି ପୃଥିବୀର ବିଭିନ୍ନ କୋଣରେ ଓଡ଼ିଆଙ୍କ ପ୍ରାଣରେ ଏକ ଅପୂର୍ବ ଜାତୀୟତାର କମ୍ପନ ଆଣି ଦେଇଥାଏ।ଏଇ କବିତା ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ଭଲ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା।ସେହି ବେଦନା ଭିତରେ ଥିଲା ମଧୁସୂଦନଙ୍କ ବଡ଼ ସକାରାତ୍ମକ ଚିନ୍ତା ଯାହା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ବାସ୍ତବ ରୂପ ନେଇଥିଲା।
ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ।ସେହି ସ୍ଵପ୍ନକୁ ସତ କରିବାକୁ ଉତ୍କଳର ସନ୍ତାନମାନଙ୍କୁ ଗୀତ ମାଧ୍ୟମରେ ଆହ୍ଵାନ ଦେଇଥିଲେ ସେ।୧୯୩୬ ମସିହାରୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲାଣି କିନ୍ତୁ ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରିଥାଏ ଏହି କେତୋଟି ପଂକ୍ତି 👇
*ଇତିହାସ ତୂରୀ ଜଗତେ ଘୋଷୁଛି*
*ମୋର ସୁତଙ୍କର ଯଶ,*
*ତାଙ୍କର ବଂଶଜ ଘୃଣିତ ଓଡ଼ିଆ*
*ଏହା ମୋ କପାଳ ଦୋଷ।*
*ବହୁକାଳ ଧରି ରୋଦନ କରୁଛି*
*ନୟନକୁ ଦିଶୁନାହିଁ,*
*ମୋହର ସନ୍ତାନ କତିକି ଆସିଲେ*
*ଅଣ୍ଡାଳି ଚିହ୍ନିବି ମୁହିଁ।’’*
ଏ ଦୁଇପଦ ଗୀତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରାଣ-ନିଗିଡ଼ା ଗୀତ‘ଜନନୀର ଭକ୍ତି’ର ଅଂଶ ବିଶେଷ।ଗୀତରେ ଓଡ଼ିଆ ସ୍ୱାଭିମାନକୁ ନେଇ ତାଙ୍କର ଅନ୍ତରାତ୍ମା କାନ୍ଦି ଉଠିଥିବାର ଛବି ସ୍ପଷ୍ଟଭାବେ ପ୍ରତିଫଳିତ ହୋଇଥାଏ।ସମ୍ଭବତଃ ଏହା ହେଉଛି ବୋଧେ ମଧୁପ୍ରେମୀଙ୍କ ସବୁଠାରୁ ଆପଣାର କବିତା।ତୋଷାମଦ ନୁହେଁ ବରଂ ସତ୍ୟ ଓ ସାହସ ହିଁ ଓଡ଼ିଆ ଜାତିର ଅସଲ ପରିଚୟ ବୋଲି ସେ ସେଦିନ ଚେତାଇ ଦେଇଥିଲେ ବିଟ୍ରିଶମାନଙ୍କୁ।
ପ୍ରସିଦ୍ଧ ଦାର୍ଶନିକ ରୁଷୋ ମନୁଷ୍ୟର ଦୁଇଟି ଜୀବନ କଥା କହିଥିଲେ- ଗୋଟିଏ ବ୍ୟକ୍ତିଗତ ଜୀବନ,ଅନ୍ୟଟି ସାମୂହିକ ଜୀବନ।ଏହାକୁ ଲକ୍ଷ୍ୟ କରି ମଧୂସୁଦନ ଦାସ କହିଥିଲେ ପ୍ରତ୍ୟେକ ବ୍ୟକ୍ତିର ଦୁଇ ଗୋଟି ଜୀବନ ଅଛି।ଗୋଟିଏ ହେଉଛି ବ୍ୟକ୍ତିଗତ ଜୀବନ,ଅନ୍ୟଟି ହେଉଛି ଜାତୀୟ ଜୀବନ।ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ।ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି ପାଇଁ ସେ କାମ କରୁଥିଲେ।ତାଙ୍କ ମତରେ ଯେତେବେଳ ପର୍ଯ୍ୟନ୍ତ ଲୋକେ ବ୍ୟକ୍ତିଗତ ଜୀବନକୁ ଜାତି ନିମନ୍ତେ ବଳିଦେବାକୁ ଶିଖିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଜାତୀୟ ଜୀବନ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ ଓ ସେତେବେଳ ଯାଏ ଜାତୀୟ ଜୀବନର ମୂଲ୍ୟ ଲୋକମାନେ ଜାଣି ନାହାଁନ୍ତି ବୋଲି କହିବାକୁ ହେବ।ପ୍ରତ୍ୟେକ ଲୋକର ଜୀବନରେ ଯେତେବେଳେ ଜାତିର ଚିନ୍ତା ପ୍ରବେଶ କରିବ ସେତେବେଳେ ଯାଇ ଆମ୍ଭମାନଙ୍କ ମଧ୍ୟରେ ଜାତୀୟ ଜୀବନ ପ୍ରବେଶ କରିବ।ମୋର ଶରୀରର ପ୍ରତ୍ୟେକ ରେଣୁ,ପ୍ରତ୍ୟେକ ଚିନ୍ତା ସେହି ଜାତୀୟ ଜୀବନର ଅଂଶବିଶେଷ।ସେଥିପାଇଁ ସେ ଲେଖିଥିଲେ 👇
*ଗୋଟିଏ ସନ୍ତାନ ଗୋଟିଏ ସ୍ୱରରେ*
*ଜନନୀ ଜନନୀ ଡାକ,*
*ତୃଷ୍ଣାରେ କାତର ଗଗନକୁ ଚାହିଁ*
*ଯେସନେ ଡାକେ ଚାତକ।*
ଆଜି ସାରା ଦେଶରେ ସ୍କିଲ୍ ଡେଭେଲପ୍ମେଣ୍ଟ ବା ଦକ୍ଷତା ବିକାଶ ଦିଗରେ ସରକାରଙ୍କର ମେକ୍-ଇନ୍-ଇଣ୍ଡିଆ ଓ ମେକ୍-ଇନ୍-ଓଡ଼ିଶା ଭଳି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଚାଲୁରହିଛି।ଯଦି ଆମେ ଗୋଟିଏ ଶତାବ୍ଦୀ ପୂର୍ବକୁ ଫେରିଯିବା ତାହାହେଲେ ଇତିହାସରେ ଦେଖିପାରିବା ଯେ ତତ୍କାଳୀନ ଓଡ଼ିଶାର ହସ୍ତଶିଳ୍ପୀମାନଙ୍କୁ ସଂଗଠିତ କରିବା ଓ ତାଲିମ ମାଧ୍ୟମରେ ସେମାନଙ୍କ ଦକ୍ଷତାର ବିକାଶ କରି ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି କରି କିଭଳି ସେମାନଙ୍କ ଆର୍ଥିକ ବିକାଶ କରାଯାଇପାରିବ ସେ ବାବଦରେ ବହୁ ବର୍ଷ ତଳେ ମଧୁବାବୁ ତାକୁ କାମରେ କରି ଦେଖାଇଥିଲେ।୧୮୯୭ ମସିହାରେ ଓଡ଼ିଶାର ହସ୍ତଶିଳ୍ପ କାରିଗରୀକୁ ପ୍ରୋତ୍ସାହନ ଦେବାକୁ ଯାଇ ସେ କଟକଠାରେ ପ୍ରତିଷ୍ଠା କରିଥିଲେ 'ଓଡ଼ିଶା ଆର୍ଟଓୟାର୍’।ଏହି ଶିଳ୍ପ ମାଧ୍ୟମରେ ଓଡ଼ିଶାର ସୁକ୍ଷ୍ମ ସୁନା ଓ ରୂପାର ତାରକସି କାର୍ଯ୍ୟ ଗଢିଉଠିଥିଲା ଓ ୧୯୦୫ ମସିହାରେ ପ୍ରତିଷ୍ଠା କରିଥିଲେ’ଉତ୍କଳ ଟ୍ୟାନେରି’।ଆମେ ହୁଏତ ଜାଣିନଥିବା ଯେ ମଧୁବାବୁ ଏହି ଉତ୍କଳ ଟ୍ୟାନେରି ପରିସର ଭିତରେ ଏକପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ।ଓଡ଼ିଶାର ହସ୍ତକଳା ସାମଗ୍ରୀକୁ କାଠ ବାକ୍ସରେ ଧରି ସୁଦୂର ଇଂଲଣ୍ଡ ଯାଇ ସେଠାରେ ପ୍ରଦର୍ଶନୀର ଆୟୋଜନ କରିଥିଲେ।ସେହିପରି ଚମଡ଼ା ଶିଳ୍ପର ବିକାଶ ଲାଗି ସୁଦୂର ଜର୍ମାନୀରୁ ଇଞ୍ଜିନିୟର ଡକାଇ ମଧୁବାବୁ ଯେଭଳି ଭାବରେ ଚମଡ଼ା ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି କରିଥିଲେ ତାହା ଆଜିର ଶିଳ୍ପପତିମାନଙ୍କ ପାଇଁ କମ୍ ପ୍ରେରଣାର ବିଷୟ ନୁହେଁ।ମଧୁବାବୁ ଜାଣିଥିଲେ ଯେ ଓଡ଼ିଶାରେ ହସ୍ତକଳାର ଯେଉଁ ବିବିଧତା ଓ କାରିଗରୀ ଦକ୍ଷତା ରହିଛି ତାକୁ ଏକ ବଡ଼ ଶିଳ୍ପରେ ପରିବର୍ତ୍ତନ କରାଯାଇପାରିବ ଏବଂ ତାହା ଦ୍ୱାରା ହଜାର ହଜାର ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଅଣାଯାଇପାରିବ।ଏହାଥିଲା ରାଜ୍ୟରେ ଶିଳ୍ପ ପରିବେଶ ସହ ବ୍ୟାପକ ଆର୍ଥିକ ବିକାଶ ଲାଗି ମଧୁବାବୁଙ୍କ ସୁଦୂରପ୍ରସାରୀ ପରିକଳ୍ପନାର ଏକ ବାସ୍ତବ ଚିତ୍ର।ମଧୁବାବୁ ଥିଲେ ସର୍ବଭାରତୀୟ ସ୍ତରରେ ସେ ସମୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିବା ହାତଗଣତି କେତେ ଜଣଙ୍କ ମଧ୍ୟରେ ମାତ୍ର ଜଣେ।ସେତେବେଳେ କଟକରେ ତିଆରି ଜୋତା ସୁଦୂର ୟୁରୋପ ଓ ଜାପାନରେ ପ୍ରସିଦ୍ଧି ଲାଭ କରିଥିଲା।ସେହିପରି ଉତ୍କଳ ଟ୍ୟାନେରିର ଜୋତା ପିନ୍ଧି ବ୍ରିଟିଶ୍ ଫୌଜ ମଧ୍ୟ ପ୍ରଥମ ବିଶ୍ୱଯୁଦ୍ଧରେ ଓହ୍ଲାଇଥିଲେ।ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଆଧୁନିକ ଜୋତା କିଭଳି ତିଆରି କରାଯାଇପାରେ ତାହା ସେ ପ୍ରମାଣ କରି ଦେଖାଇ ପାରିଥିଲେ।ଆଜି ଆମେ କଥା କଥାକେ ବିଦେଶୀ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଅଛେ।ଆଜିକାର ଯୁବସମାଜ ଜାଣି ଖୁସି ହେବା ଦରକାର ଯେ ଦିନେ ଓଡ଼ିଶାରେ ତିଆରି ଜିନିଷ ମଧ୍ୟ ବିଶ୍ୱ ବଜାରରେ ନାଁ କରିପାରିଥିଲା।
ଓଡ଼ିଶାର ମାଟି ମଧୁସୂଦନଙ୍କ ପୂର୍ବରୁ ଥିଲା ଏବଂ ଏବେ ବି ଅଛି।ଓଡ଼ିଆ ଭାଷା,ତାଙ୍କ ଜନ୍ମର ବହୁକାଳରୁ ପ୍ରତିଷ୍ଠା ଲାଭ କରିଥଲା ଏବଂ ଏବେ ମଧ୍ୟ ତା’ର ଜୟଯାତ୍ରା ଅବ୍ୟାହତ ରହିଛି।ଓଡ଼ିଆମାନେ ସେବେ ଥିଲେ ଆଉ ଏବେ ବି ଅଛନ୍ତି।କିନ୍ତୁ ଓଡ଼ିଶା,ଓଡ଼ିଆ ଓ ଓଡ଼ିଆ-ଭାଷାର ସ୍ୱାଭିମାନକୁ ନେଇ ଯଦି କିଏ ସମଗ୍ର ଇତିହାସରେ ମନ ପ୍ରାଣ ଦେଇ ଲଢ଼େଇ କରିଥିଲେ ସେ ହେଉଛନ୍ତି କୁଳବୃଦ୍ଧ ମଧୁସୂଦନ ଦାସ।ଓଡ଼ିଶା ଇତିହାସରେ ଓଡ଼ିଆ ସ୍ୱାଭିମାନର ଅଗ୍ରଗଣ୍ୟ ମୁକୁଟ ମଣିଷ ତଥା ଗୌରବଶ୍ରେଷ୍ଠ ବ୍ୟକ୍ତିତ୍ୱ,ମଧୁସୂଦନ ଦାସ ବା ମଧୁବାବୁ।ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ ଫକୀରମୋହନ ଲେଖିଥିଲେ👇
*ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ*
*ଉତ୍କଳ ମାତାର ଯୋଗ୍ୟ ସନ୍ତାନ*
*ଦେଲ ଉତ୍କଳଙ୍କୁ ନବ ଜୀବନ*
*ଶିଖାଇଲ ଲୋକେ ଜାତି ବନ୍ଦନ*
ଉତ୍କଳର ଜନସାଧାରଣଙ୍କ ମନରୁ ଲିଭି ନ ଥାଏ ଭୂମିକମ୍ପର ପ୍ରଭାବ।ସେହି ମୁହୁର୍ତ୍ତରେ ଦୈନିକ ଖବରକାଗଜ'ସମାଜ'ରୁ ଖବର ପଢି ଆତଙ୍କିତ ହୋଇ ଉଠିଲେ ଓଡ଼ିଶାର ଜନସାଧାରଣ।ସେହି ମହାଦ୍ରୁମ ଉତ୍କଳର ବରପୁତ୍ର ମଧୁସୂଦନ ଦାସ ବର୍ତ୍ତମାନ ରୋଗାକ୍ରାନ୍ତ।ତାଙ୍କ ଅନ୍ତନଳୀରେ ଘା' ହୋଇଥିବାରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।ଏହା ପରେ ପରେ ତାଙ୍କର ଜୀବନ ଦୀପ ଧୀରେ ଧୀରେ ନିର୍ବାପିତ ହେବାକୁ ଲାଗିଲା।ଓଡ଼ିଆ ଓଡ଼ିଆ ବୋଲି ପ୍ରାଣ କାନ୍ଦୁଥିଲା ତାଙ୍କର।୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଛୟାଅଶୀ ବର୍ଷ ବୟସରେ ରାତି ୧.୨୦ ମିନଟ ସମୟରେ ତାଙ୍କର ମହାପ୍ରୟାଣ ଘଟିଥିଲା।ପ୍ରାଣବାୟୁ ଚାଲିଯିବା ପୂର୍ବରୁ ସେ ରୋଗଶଯ୍ୟାରେ ଥାଇ ନୀଳକଣ୍ଠ ଦାଶଙ୍କୁ କହିଥିଲେ- ‘ମନେ ରଖିଥିବ ଜଣେ ଓଡ଼ିଆ ଥିଲା।’
ମଧୁସୂଦନଙ୍କ ସାରା ଜୀବନ ଉତ୍ସର୍ଗୀକୃତ ହୋଇଥିଲା ଓଡ଼ିଆ ଜାତ୍ୟାଭିମାନକୁ ମହିମାମଣ୍ଡିତ କରିବା ପାଇଁ।ବାସ୍ତବରେ ମଧୁସୂଦନ ହେଉଛନ୍ତି ଉତ୍କଳୀୟ ସ୍ୱାଭିମାନର ଉଦଗାତା।ଜୀବଦ୍ଧଶାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବହୁବାର ଉଦ୍ବୋଧନ ଦେଇ ସ୍ୱାଭିମାନର ସହ ବଞ୍ଚିବାକୁ ପରାମର୍ଶ ଦେଇଥିଲେ ସେ।ସ୍ୱାଭିମାନୀ ହେବାକୁ ଜାଗ୍ରତ କରାଉଥିଲେ।କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଉକ୍ତିରେ ଯଥାର୍ଥରେ ସେ ଥିଲେ ଜଣେ *ଶତାବ୍ଦୀର ସୂର୍ଯ୍ୟ*।ମଧୁବାବୁ ଥିଲେ ପ୍ରତ୍ୟେକ ଓଡ଼ିଆଙ୍କର ଆଦର୍ଶ।ଉତ୍କଳଗୌରବ ମଧୁସୂଦନ ଦାସ ଚିରକାଳ ପାଇଁ ଓଡ଼ିଆମାନଙ୍କ ମନରେ ପ୍ରେରଣାର ଉତ୍ସହୋଇ ରହିଥିବେ ଏଥିରେ କୋୖଣସି ସନ୍ଦେହର ଅବକାଶ ନାହିଁ।ମଧୁବାବୁଙ୍କ ପରି ଓଡ଼ିଶାର ସ୍ୱାଭିମାନ ବଜାୟ ରଖିବା ପ୍ରତ୍ୟେକ ଓଡ଼ିଆମାନଙ୍କର କର୍ତ୍ତବ୍ୟ ହେବା ଉଚିତ୍।
“କାଳିଆ ଘୋଡ଼ାରେ ଚଢ଼ିବି,ମଧୁବାବୁ ସଙ୍ଗେ ଲଢ଼ିବି” ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଅପୂର୍ବ ଉତ୍ସାହ।ମନରେ ଖେଳିଯାଏ ଉନ୍ମାଦନା।ଆଗକୁ ଯିବା ପାଇଁ ପ୍ରତ୍ୟେକ ଓଡ଼ିଆଟେ ନେଇଥାଏ ସଂକଳ୍ପ।ମଧୁବାବୁ ଆଜି ନାହାନ୍ତି ସତ ହେଲେ ତାଙ୍କ ଜୀବନ କଥା ଆଜି ବି ଆମ ସାମାଜିକ ଜୀବନ ପାଇଁ ବେଶ୍ ପ୍ରେରଣା ବହନ କରୁଛି।ମଧୁବାବୁ ନଥିଲେ କେବଳ ଜଣେ ଭାଷାପ୍ରେମୀ କି ନଥିଲେ ଜଣେ ବିଚକ୍ଷଣ ବାରିଷ୍ଟର କିମ୍ବା ନଥିଲେ ଜଣେ ବିଦ୍ୱାନ ବ୍ୟବସ୍ଥାପକ ବା ନଥିଲେ ଜଣେ ଦୂରଦୃଷ୍ଟିସମ୍ପନ୍ନ ମଣିଷ ବାସ୍ତବରେ ମଧୁବାବୁ ଥିଲେ ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଓ ଭାରତୀୟ ଜାତୀୟ ଜୀବନର ଅନ୍ୟତମ ମାର୍ଗଦର୍ଶକ।ଭବିଷ୍ୟତର ଯୁବପିଢ଼ି ମାନଙ୍କ ପାଇଁ ତାଙ୍କ ଜୀବନ,କର୍ମ ଓ ଆଦର୍ଶ ଆଜି ବି ବେଶ୍ ଗୁରୁତ୍ୱ ବହନ କରେ।ଓଡ଼ିଶାର ଐତିହ୍ୟ,ସଂସ୍କୃତି,ପରମ୍ପରା,ସଂସ୍କୃତି,ଭାଷା,ସାହିତ୍ୟ ପ୍ରତି ଅନୁରାଗ ରଖିବା ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଐକ୍ୟବଦ୍ଧ ହେଲେ ହିଁ ତାହା ହେବ ସେହି ବୀର ପୁରୁଷମାନଙ୍କ ପାଇଁ ଯଥାର୍ଥ ସମ୍ମାନ ଓ ଭକ୍ତି ପୁଷ୍ପାଞ୍ଜଳି।ଓଡିଆ ଜାତିର ମଉଡମଣୀ,ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତା,ପ୍ରତି ଓଡିଆ ପୁଅର ଆଦର୍ଶ,କଳିଙ୍ଗର ସୁଯୋଗ୍ୟ ସନ୍ତାନ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜନ୍ମ ଜୟନ୍ତୀ ଅବସରରେ ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।ସ୍ଵାଭିମାନ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା💐💐 🙏🙏
*ଉତ୍କଳ ମୋହର ସକଳ ଉତ୍ପତ୍ତି*
*ଉତ୍କଳ ମୋ ପ୍ରାଣ ଉତ୍କଳ ମୋ ସ୍ଥିତି*
*ଉତ୍କଳେ ଅମର ଉତ୍କର୍ଷର ଲୟ*
*ଉତ୍କଳ ମୋହର ଆଦ୍ୟ ପରିଚୟ*
🇮🇳 *ବନ୍ଦେ ଉତ୍କଳ ଜନନୀ*🇮🇳
🇮🇳 *ଜୟ ଓଡିଆ,ଜୟ ଓଡିଶା*🇮🇳
==============================
✍️ *ଭାବଗ୍ରାହୀ ତ୍ରିପାଠୀ*
0 Comments