ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବାବେଳେ ରୁମାଲ ଉପଯୋଗ କରିବା ଓ ସଂକ୍ରମିତଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଦେଶର ବିଭିନ୍ନ ଭାଗରେ ଏହି ଇନଫ୍ଲୁଏଞ୍ଜାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କୋଭିଡ-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଭଳି ସମାନ ଲକ୍ଷଣ H3N2 ରହିଛି । ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ, କେବଳ ସତର୍କତା ଅବଲବମ୍ବନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଓ ରୋଗପ୍ରତିରୋଧକ କ୍ଷମତା କମ୍ ସେମାନଙ୍କ ନିମନ୍ତେ ଏହା ଅଧିକ କ୍ଷତିକାରକ ହେବାର ଆଶଙ୍କା ରହିଛି । ଭୀଷଣ ଜ୍ୱର, ଥଣ୍ଡା, କଫ, ଗଳା ଦରଜ ଓ ମୁଣ୍ଡବ୍ୟଥା ଭଳି ଲକ୍ଷଣ ଏଥିରେ ଦେଖାଯାଏ । ତେବେ ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନି । ତେଣୁ ପ୍ରତିଷେଧକମୂଳକ ପଦକ୍ଷେପସ୍ୱରୂପ , ଲୋକେ କୋଭିଡ-୧୯ ଗାଇଡଳାଇନକୁ କଡ଼ାକଡ଼ି ପାଳନ କରିବା ଉଚିତ୍ । ମାସ୍କ ପିନ୍ଧିବା ସହ ଛିଙ୍କ-କାଶବେଳେ ରୁମାଲ ଆଦି ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କଠୁ ଦୂରେଇ ରହିବାକୁ ମଧ୍ୟ ସେ ସତର୍କ କରାଇଛନ୍ତି
ସୂଚନାଯୋଗ୍ୟ, H3N2 ସଂକ୍ରମିତ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଛି । ହରିୟାଣା ଓ କର୍ଣ୍ଣାଟକର ଜଣେ ଲେଖାଏଁ H3N2 ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଏବେସୁଦ୍ଧା ସମଗ୍ର ଦେଶରେ ୯୦ଜଣ H3N2 ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହାସହିତ ୮ଜଣ H1N1 ଭୂତାଣୁ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।
0 Comments