ଗଣିଆ ବ୍ଳକ ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଗଣିଆ ଥାନାରେ ଝିଅର ବାପା ଅଭିଯୋଗ କରିବା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଛି । ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇବା ସହିତ ମୃତ ମହିଳାଙ୍କ ସ୍ବାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ଘଟଣାରୁ ଜଣାପଡିଛି ଯେ ଭାପୁର ଗୋବର୍ଦ୍ଧନପ୍ରସାଦ ଗ୍ରାମର ରଶ୍ମିତା ପରିଡା ଗଣିଆ ବ୍ଲକର ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଗ୍ରାମରେ ଚିତ୍ତରଞ୍ଜନ ପରିଡାଙ୍କ ସହିତ ବୈଦିକ ରୀତିରେ ବାହାଘର ହୋଇଥିଲା । ବାହାଘର ୧୫ ଦିନ ପରେ ତାଙ୍କର ନଣନ୍ଦ,ଶାଶୁ ଏବଂ ଶଶୁର ଯୈାତୁକ ନିର୍ଯ୍ୟାତନା ଦେଉଥିବା ଝିଅ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏପରିକି ଗତ ୧ ମାସ ତଳେ ଝିଅକୁ ଯୋତୁକ ମାଗିବାରୁ ଝିଅର ବାପା କିଛି ଦିନ ସମୟ ମାଗିଥିଲେ । ତେବେ ବୁଧବାର ସକାଳୁ ତାଙ୍କ ଜ୍ବାଇଁ ଚିତ୍ତରଞ୍ଜନ ଫୋନ ମାଧ୍ୟମରେ ଝିଅ ମରି ଯାଇଥିବା ଜଣାଇଥିଲେ । ଝିଅର ବାପା ଆସି ଦେଖିଲା ବେଳକୁ ଝିଅ ମେଡ଼ିକାଲରେ ମୃତ ଅବସ୍ଥାରେ ପଡ଼ିରହିଛି । ଏ ନେଇ ସେ ଗଣିଆ ଥାନାରେ ଝିଅର ନଣନ୍ଦ,ଶାଶୁ ଏବଂ ଶଶୁରଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଘଟଣାସ୍ଥଳରେ ଗଣିଆ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ତେବେ ମୃତ ମହିଳାଙ୍କ ସ୍ବାମୀ ଚିତ୍ତରଞ୍ଜନକୁ ଗଣିଆ ଥାନାରେ ଅଟକ ରଖିଥିବା ଜଣାପଡିଛି । ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
0 Comments