ଦଶପଲ୍ଲା ,ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି ଚାଲିଥିବା ବେଳେ "ଗୋଦରା କୋଡେ ଯେତେ ମାଡେ ସେତେ" ନ୍ୟାୟରେ ଯୋଜନା ଗୁଡିକ କିଭଳି କାର୍ଯ୍ୟ କାରୀ କରାଯାଉଛି ତାହା ଦେଖିବାକୁ କେହି ନାହିଁ । ଅନେକ ଯୋଜନାକୁ କାଗଜ ପତ୍ରରେ ରଂଗୀନ ଚିତ୍ର ଦେଖାଇ ନବୀନବାବୁଙ୍କୁ ଭେଳିକି ଦେଖେଇ ଦିଆଯାଉଛି । କିନ୍ତୁ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ । ୪୦ବର୍ଷ ଧରି ଭଙ୍ଗା କୁଡିଆରେ ପଡିଥିବା ଲୋକଙ୍କୁ ଏବେବି ପକ୍କା ଘର ଖଣ୍ଡିଏ ପାଇଁ ଅଫିସରୁ ସେ ଅଫିସକୁ ଦଉଡିବାକୁ ପଡୁଛି । ଏସଂପର୍କରେ କେତେଜଣଙ୍କ ପ୍ରତିକ୍ରିୟା ନେବାରେ ଜଣାଯାଇଛି ଯେ ଘର ଟିଏ ପାଇବାକୁ ହେଲେ ୩୦ ହଜାର ଟଙ୍କା ଲାଞ୍ଚ ଦବାକୁ ପଡିବ । ଯାହାକି ଥିବା ଲୋକମାନେ ଦେଇ ପାରୁଛନ୍ତି ଆମେ ଦେଇପାରୁନୁ ବୋଲି ବର୍ଷ ବର୍ଷ ଧରି ଭଙ୍ଗା ଘରେ ପଡିଚୁ। ଦଶପଲ୍ଲା ବ୍ଲକ୍ ଡିହଗାଁ ପଞ୍ଚାୟତ ମଧୁପୁର ଗ୍ରାମର ନମିତା ମୁଦୁଲି ସ୍ବା-ପ୍ରକାଶଙ୍କ ପରିବାରରେ ୬ଜଣ ସେଇ ଭଙ୍ଗାଘରେ ରହିଛନ୍ତି ।
ସେହିପରି ଜେମା ସେଠୀ ସ୍ବା- ସ୍ବର୍ଗତ ବାସୁଦେବ,ବିଜୟିନୀ ପ୍ରଧାନ ସ୍ବା-କରୁଣାକର,ପ୍ରମିଳା ପ୍ରଧାନ ସ୍ବା-ପଞ୍ଚାନନ ପ୍ରଭୃତିଙ୍କର ଏକା ଅବସ୍ଥା ।ଏମାନେ ରହୁଥିବା ଘର ଭିତରକୁ ପଶିବାକୁ ଭୟ ଲାଗିବ। ଶୋଇଥିବା ବେଳେ କେତେବେଳେ ଭାଙ୍ଗି ପଡିବ କହିହେବ ନାହିଁ । ପ୍ରଶ୍ନ ଉଠେ ଏମାନେ କଣ ଭୋଟର ନୁହନ୍ତି ? ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହାପାଇଁ ? ନା ଏମାନଙ୍କୁ ଖାଦ୍ୟ,ବସ୍ତ୍ର,ବାସଗୃହ ଯୋଗାଇବାକୁ ସରକାର ବାଧ୍ୟ ନୁହନ୍ତି? ତୁରନ୍ତ ଏମାନଙ୍କୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରନ୍ତି । ଜିଲ୍ଲାପାଳ ଦୃଷ୍ଟି ଦେବା ଆବଶ୍ୟକ ।
0 Comments