ଗୋଟିଏ ଗାଁ’ରେ ଜଣେ କୃଷକ ଓ ତା’ସ୍ତ୍ରୀ ରହୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ସେଥିପାଇଁ ସେମାନଙ୍କ ମନ ଭାରି କଷ୍ଟ ହେଉଥାଏ ।
ବହୁତ ଓଷାବ୍ରତ କଲାପରେ ସେ କୃଷକ ସ୍ତ୍ରୀର ଗୋଟିଏ ପିଲା ଜନ୍ମ ହେଲା । ହେଲେ ଏଥିରେ ସେମାନେ ମୋଟେ ଖୁସି ହେଲେ ନାହିଁ । କାରଣ ସେ ପିଲାଟି ଥିଲା ଗୋଟିଏ ବେଙ୍ଗ ।
ଏପରି ଏକ ଅଦ୍ଭୁତ ପିଲାକୁ ଦେଖି ସେ କୃଷକ କହିଲା, ‘ଏ ବେଙ୍ଗଟିକୁ ବିଲରେ ଛାଡିଦେଇ ଆସିବା ।’ ହେଲେ ଏ ପ୍ରକାର ପ୍ରସ୍ତାବରେ ସେ କୃଷକର ସ୍ତ୍ରୀ ଆଦୌ ରାଜି ହେଲା ନାହିଁ । ବରଂ କହିଲା, ‘ବେଙ୍ଗ ହେଲେ ବି ତ ଏ ମୋ’ରି ପିଲା । ମୁଁ ତା’ର ବୁଝାସୁଝା କରିବି ।’
କୃଷକର ସ୍ତ୍ରୀ ସେ ବେଙ୍ଗ ପିଲାଟିର ଖୁବ୍ ଯତ୍ନ ନେଲା – ସତେ ଯେମିତି ସେ ମଣିଷ ପିଲାଟିଏ! ସମୟ କ୍ରମେ ସେ ବେଙ୍ଗ ପିଲାଟି ଡେଇଁବା ଶିଖିଲା; ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିଲା – ଏମିତିକି ଟିକିଏ ଟିକିଏ କଥା ବି କହି ପାରିଲା ।
ଦିନେ ସେ କୃଷକର ସ୍ତ୍ରୀ ତା’ ସ୍ୱାମୀ ପାଇଁ ଭାତ ପୁଡିଆଟି ଧରି ବିଲକୁ ବାହାରିଛି, ଏହି ସମୟରେ ହଠାତ୍ ସେ ବେଙ୍ଗ କହିଲା, ‘ମା, ମୋତେ ସେ ଭାତ ପୁଡିଆଟି ଦିଅ । ମୁଁ ବାପାଙ୍କ ପାଖକୁ ନେଇଯିବି ।’
ଏକଥା ଶୁଣି ମା କହିଲା, ‘ତୁ ତ ସାମାନ୍ୟ ବେଙ୍ଗଟାଏ । ତୁ କେମିତି ଭାତ ପୁଡିଆ ନେବୁ? ବାଟରେ ଯଦି ତତେ କିଏ ମାଡି ପକାଇବ ।’
ମା ର ଏଭଳି ପ୍ରଶ୍ନର ଭରସା ପୂର୍ଣ୍ଣ ଉତ୍ତର ଦେବାକୁ ଯାଇ ସେ ବେଙ୍ଗ ପିଲା କହିଲା – ‘ମୁଁ ଭାତ ପୁଡିଆ ବାପାଙ୍କ ପାଖରେ ପହଁଚାଇ ଦେବି । ମୋର କେହି କିଛି ବି କ୍ଷତି କରିପାରିବେ ନାହିଁ’ ।
ତା’ପରେ ମା ଖଣ୍ଡିଏ କାଠିରେ ଭାତ ପୁଡିଆଟିକୁ ବାନ୍ଧିଲା । ବେଙ୍ଗପିଲା ନିଜ କାନ୍ଧରେ କାଠିଟି ରଖି ଚାଲିଚାଲି ତା’ ବାପା ପାଖରେ ପହଁଚିଲା । ସେହିଦିନଠାରୁ ସବୁଦିନେ ସେ ବେଙ୍ଗ ପିଲା ସେହିପରି ଭାତ ପୁଡିଆ ଧରି ତା’ ବାପା ପାଖରେ ଯାଇ ପହଁଚେ ।
ଦିନେ ସେ ବେଙ୍ଗ ତା’ ବାପାକୁ କହିଲା, ‘ବାପା, ଆମେ କେତୋଟି ଗାଈ ମଇଁଷି ରଖିଲେ ଭଲ ହୁଅନ୍ତାନି?’
ଏ ପ୍ରକାର କଥା ଶୁଣି ବାପା କହିଲା – ‘ଗାଈ ମଇଁଷି କିଣିବାକୁ ଆମର ଟଙ୍କା କାହିଁ?’
ବେଙ୍ଗ କହିଲା – ‘ତୁମେ ରାଜାଙ୍କୁ ଏ କଥା କହୁ ନାହଁ କାହିଁକି?’
ପୁଅର ଏଭଳି ପ୍ରଶ୍ନ ଶୁଣି ବାପା ଉତ୍ତର ଦେଲା – ‘ରାଜାଙ୍କୁ ଏ କଥା କହିବାକୁ ମୋର ଆଦୌ ସାହସ ନାହିଁ’ ।
ତହୁଁ ସେ ବେଙ୍ଗ କହିଲା – ‘ତା’ ହେଲେ ମୁଁ ନିଜେ କହିବି’ । ଏତିକି କହି ସେ ବେଙ୍ଗ ଖପ୍ ଖପ୍ ଡେଇଁ ରାଜାଙ୍କ ନିକଟରେ ଯାଇ ପହଁଚିଲା । ରାଜାଙ୍କୁ ଦଣ୍ଡବତ କରି ସେ ବେଙ୍ଗ କହିଲା, ‘ମହାରାଜ, ମୋ ବାପା ଜଣେ ଗରୀବ କୃଷକ । ଆପଣ ଆମକୁ କେତୋଟି ଗାଈ ମଇଁଷି ଦିଅନ୍ତୁ ।’
ଏକଥା ଶୁଣି ସେ ରାଜା ଓ ତାଙ୍କ ଚାରିପାଖେ ବସିଥିବା ସମସ୍ତେ ଖାଲି ବେଙ୍ଗ କଥାରେ ହୋ ହୋ ହୋଇ ହସି ଉଠିଲେ । ତା’ପରେ ସେ ରାଜା ବି ହାତ ଛିଂଚାଡି ବେଙ୍ଗକୁ ସେଠାରୁ ପଳାଇଯିବାକୁ କହିଲେ । ତା’ପରଦିନ ସକାଳେ ସେ ରାଜାଙ୍କର କୌଣସି ଗାଈ କି ମଇଁଷି ମୋଟେ କ୍ଷୀର ଦେଲେ ନାହିଁ । କଥା କ’ଣ? ଏସବୁ ଘଟଣାର କାରଣ ଜାଣିବା ପାଇଁ ସେ ରାଜା ତାଙ୍କ ରାଜ୍ୟର ସବୁଠାରୁ ବଡ ଜ୍ୟୋତିଷଙ୍କୁ ଡକାଇଲେ । ଜ୍ୟୋତିଷ ବହୁ ଗଣନା କରି କହିଲେ, ‘କେହି ଜଣେ ନିଶ୍ଚୟ ଏପରି କରିଛି । ସେ ଆପଣଙ୍କ ନିକଟକୁ ଆସିଥିଲା ଓ ସେ ଯାହା ବି ମାଗିଥିଲା, ଆପଣ ତାକୁ ତାହା ନ ଦେବାରୁ ସେ ଅସନ୍ତୁଷ୍ଟ ହୋଇଛି ।’
ଗତକାଲି ବେଙ୍ଗଟିଏ ତାଙ୍କ ନିକଟକୁ ଆସିଥିବା କଥା ହଠାତ୍ ସେ ରାଜାଙ୍କ ମନେପଡିଲା । ତେଣୁ ସେ ସଙ୍ଗେ ସଙ୍ଗେ ଉକ୍ତ କୃଷକ ନିକଟକୁ କେତୋଟି ଗାଈ ଓ ମଇଁଷି ପଠାଇ ଦେଲେ । ଏହାପରେ ସେ ରାଜାଙ୍କ ଗାଈ ଓ ମଇଁଷିମାନେ ଠିକ୍ ଆଗଭଳି କ୍ଷୀର ଦେଲେ । ତା’ପରଦିନ ସେ ବେଙ୍ଗ କହିଲା, ‘ବାପା, ତୁମେ ଆଜି ରାଜାଙ୍କ ଉଆସକୁ ଯାଅ । ରାଜାଙ୍କ ଝିଅକୁ ମୋତେ ବାହା କରିବାକୁ କୁହ ।’ ହଠାତ୍ ଏପରି କଥା ଶୁଣି ସେ କୃଷକ କହିଲା, ‘ଏ ତ ନିହାତି ଅସମ୍ଭବ କଥା ।’
ବାପାଙ୍କ କଥା ଶୁଣି ବେଙ୍ଗ କହିଲା, ‘ତା’ ହେଲେ ମୁଁ ନିଜେ ଯିବି ।’ ଏହାପରେ ସେ ବେଙ୍ଗ ଖପ୍ ଖପ୍ ଡେଇଁ ରାଜାଙ୍କ ନିକଟରେ ଯାଇ ପହଁଚିଲା । ରାଜାଙ୍କୁ ଦଣ୍ଡବତ କରି ସେ ବେଙ୍ଗ କହିଲା, ‘ମହାରାଜ, ଆପଣଙ୍କ ବଡ ଝିଅକୁ ମୋ ସଙ୍ଗେ ବାହା କରିଦିଅନ୍ତୁ ।’
ଏକଥା ଶୁଣି ସେ ରାଜା ଏଥର ଆଉ ଆଗ ପରି ହସିଲେ ନାହିଁ । ବରଂ ସେ ରାଗରେ ନିଆଁ ହୋଇଗଲେ । ସେ ରାଜାଙ୍କ ଚାରିପାଖେ ବସିଥିବା ସମସ୍ତେ ବେଙ୍ଗକୁ ସେଠାରୁ ବାହାର କରିଦେଲେ ।
ଠିକ୍ ତା’ ପରଦିନ ରାଜା ଦେଖିଲେ ଯେ, ତାଙ୍କ ଉଆସ ସାମ୍ନାରେ ଥିବା ବିରାଟ ପୋଖରୀଟି ପୁରାପୁରି ଶୁଖିଯାଇଛି । ଏପରିକି ସେ ପୋଖରୀରେ ଟୋପାଏ ବି ପାଣି ନାହିଁ । ଏସବୁ ଦେଖି ସେ ରାଜାଙ୍କ ଆଶ୍ଚର୍ଯ୍ୟର ସୀମା ଆଉ ରହିଲା ନାହିଁ । ତେଣୁ ରାଜା ପୁଣି ଥରେ ସେହି ଜ୍ୟୋତିଷଙ୍କୁ ଡକାଇଲେ । ତହୁଁ ଜ୍ୟୋତିଷ ପୁଣି କହିଲେ, ‘କେହି ଜଣେ ନିଶ୍ଚୟ ଏପରି କରିଛି । ସେ ଆପଣଙ୍କ ନିକଟକୁ ଆସି କ’ଣ ମାଗିଥିଲା । ଆପଣ ତାହା ନଦେବାରୁ ସେ ଅସନ୍ତୁଷ୍ଟ ହୋଇ ଫେରିଯାଇଛି ।’
ଜ୍ୟୋତିଷଙ୍କ ଏକଥା ଶୁଣି ରାଜା କହିଲେ, ‘ସେଇ ବେଙ୍ଗ ତ ଆସିଥିଲା । ତେଣୁ ତାକୁ ଡାକି ଆଣ ।’
ବେଙ୍ଗ ଆସିବାରୁ ରାଜା ତାକୁ କହିଲେ, ‘ପୋଖରୀରେ ପାଣି ଭର୍ତ୍ତି କରିଦିଅ ।’
ତହୁଁ ସେ ବେଙ୍ଗ କହିଲା, ‘ଆପଣଙ୍କ ଝିଅ ପାଇଁ ଏହା ମୁଁ କରିଦେବି ।’
ତା’ପରେ ରାଜା ବେଙ୍ଗକୁ ତାଙ୍କ ବଡ ଝିଅକୁ ବାହା ଦେଲେ ।
ରାଜା ଝିଅ ସହିତ ସେ ବେଙ୍ଗର ବାହାଘର ଖୁବ୍ ଧୁମ୍ଧାମ୍ରେ ହେଲା । କିନ୍ତୁ ସେ ରାଜାଝିଅ ଖାଲି ମନ କଷ୍ଟ କରି କାନ୍ଦୁଥାଏ । ରାଜା କଥା ଦେଇଛନ୍ତି ଯେତେବେଳେ, ଝିଅ ହୋଇ ସେ ତାକୁ ଭାଙ୍ଗିବେ ବା କେମିତି? ତେଣୁ ସେ ରାଜାଝିଅ ବୋହୂ ହୋଇ ବେଙ୍ଗ ଘରକୁ ଆସିଲା । କୃଷକ ଓ ତା’ ସ୍ତ୍ରୀ ବୋହୂକୁ ପାଇ ଖୁବ୍ ଖୁସିହେଲେ । ହେଲେ ସେ ରାଜାଝିଅ ଖାଲି କାନ୍ଦୁଥାଏ ।
ବାହାଘର ଭୋଜିଭାତ ପରେ ରାଜାଝିଅ ଓ ସେ ବେଙ୍ଗ ଗୋଟିଏ ଘରେ ରହିଲେ । ଆଶ୍ଚର୍ଯ୍ୟର କଥା, ବେଙ୍ଗ ତା’ର ଚମଡା ଓହ୍ଲାଇଦେଲା ଓ ସେ ଚମଡା ଭିତରୁ ବାହାରି ଆସିଲା ଗୋଟିଏ ଅତି ସୁନ୍ଦର ତରୁଣ । ରାଜାଝିଅକୁ ବେଙ୍ଗ କହିଲା, ‘ମୁଁ ପ୍ରକୃତରେ ହେଉଛି ଗୋଟେ ଦେବ ପୁରୁଷ । କିନ୍ତୁ ଏକଥା ତୁ କାହାରିକୁ କହିବୁ ନାହିଁ ।’
କେତେଦିନ ପରେ ରାଜାଝିଅ ତା’ ବାପାଙ୍କ ଉଆସକୁ ଆସିଲା । ଅନ୍ୟ ଭଉଣୀମାନେ ତାକୁ ବହୁତ ଅପମାନ ଦେଲେ । କହିଲେ, ‘ତୁ ଗୋଟାଏ ବେଙ୍ଗକୁ ବାହା ହୋଇଛୁ ।’ ଏହି କଥାରେ ସେ ରାଜାଝିଅ ମନ କଷ୍ଟ କରି ବେଙ୍ଗ ପାଖକୁ ଫେରିଗଲା ।
ଦିନେ ସେ ବେଙ୍ଗ ତା’ ଚମଡା ଖୋଲି ଦେଇଛି, ଏହି ସମୟରେ ରାଜା ଝିଅ କ’ଣ କଲା ନା ଚମଡାଟାକୁ ନିଆଁରେ ପୋଡି ଦେଲା ।
ଚମଡା ପୋଡିଯିବା ପରେ ସେ ବେଙ୍ଗ ଅତ୍ୟନ୍ତ ବିଚଳିତ ହୋଇ ପଡିଲା । କହିଲା, ‘ଚମଡା ନଥିଲେ ମୁଁ ଆଉ ଏ ପୃଥିବୀରେ ରହିପାରିବି ନାହିଁ ।’
ଏହା କହି ଦେବ ପୁରୁଷ ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହୋଇଗଲେ । ଏଣେ ସେ ବିଚାରୀ ରାଜାଝିଅ କାନ୍ଦି କାନ୍ଦି ଦୁଃଖରେ ରହିଲା ।
0 Comments