ଶେଷ ଉପହାର

 


ବହୁତ ଦିନରୁ ରୌଦ୍ରତାପ, ଖରା, ଝାଞ୍ଜି, ଗୁଳୁମୂଳିଆ ଗ୍ରୀଷ୍ମର ପ୍ରକୋପ ଧରା କୁ ଶୁଷ୍କ ଓ ହତାଶ କରି ରଖିଥାଏ l ଚାତକ ଉଡିବାର ଶକ୍ତି ସଞ୍ଚୟ କରୁଥାଏ ବୁନ୍ଦେ ଜୀବନ ଆଶାରେ l ବୀଜ ମାନେ ଜଳ ଅପେକ୍ଷାରେ, ଜୀବମାନେ ଫସଲ ଅପେକ୍ଷାରେ, ...ଆଉ ବର୍ଷା, ବର୍ଷା  ଆତୁର ଥାଏ ସମୟର ଅପେକ୍ଷାରେ l ଚାରିଆଡ ଶୁଖା ଆଉ ଶୋଷ l କାହାର ପାଇବାର ଶୋଷ, କାହାର ମେଣ୍ଟାଇବାର l  ଅଚାନକ ଫିଟି ପଡିଥାଏ ଶ୍ରାବଣର ଫୁଆର l ସବୁଗଛ ଭିଜୁଥାନ୍ତି ବର୍ଷାର ଅନିୟମିତ ସିଞ୍ଚନରେ l କେତେବେଳେ ଝିପ ଝିପ ତ କେତେବେଳେ ଅସରା ଅସରା l  ହେଲେ ସାରୁପତ୍ର ଭିଜୁ ନଥାଏ l ଟୋପାଟେ ନୁହେଁ ଫୋପାଏ ନୁହେଁ l ବାଟି ପରି ଟୁଳ ଟୁଳ ହୋଇ ଢଳି ପଡୁଥାଏ ବୁନ୍ଦା ବୁନ୍ଦା ପାଣି ମାଟିକୁ l ସୃଷ୍ଟିରେ ସମସ୍ତେ ବୋଧେ ଭିଜିବାକୁ ହୋଇନଥାନ୍ତି l କେହି କେହି ରହିଯାନ୍ତି ବ୍ୟତିକ୍ରମ ହୋଇ l


ଠିକ ନୀଲେଶଙ୍କ ପରି......


ନୀଲେଶଙ୍କ ସହ କଲେଜରେ ଦେଖାହେବା ଆଗରୁ  ନିଜ ମନକୁ ଆୟତ୍ତକରି ରଖିଥିଲେ ନୀଳିମା l କେବେବି ନାରୀ ସୁଲଭ ଲଜ୍ଜା, ଶ୍ରୀଙ୍ଗାର, ବିନମ୍ରତା - ଏସବୁ ଜାଣନ୍ତିନି l ସେ ଜାଣନ୍ତି ଏସବୁ ପୁଅ ମାନଙ୍କୁ ଅଧିକ ଆକର୍ଷିତ କରାଏ l ସେ ନିଜକୁ କଠୋର ଆଉ ପାଷାଣ ପରି ଶକ୍ତ କରିରଖିଥିଲେ l ସପ୍ତଫଣୀର କଣ୍ଟା ପରି ମୁହେଁ ମୁହେଁ ଗଳି ଯାଉଥିବାକଥା, ଶାଣଦିଆ ପାଟି ଆଉ ନିଷ୍ଠୁର ପ୍ରକୃତିପାଇଁ ତାଙ୍କର କେହି ବିଶେଷ ସାଙ୍ଗ ନଥିଲେ l କିଏ କିଏ ତାକୁ ଭୁତୁଣୀ ବୋଲି ଡାକି ଚାଲି ଯାଆନ୍ତି l 


ନୂଆ ନୂଆ ମେଡିକାଲ କଲେଜରେ ପଢିବାବେଳେ ସିନିଅର ବ୍ୟାଚର ଦଳେ ପିଲା ନୀଳିମାଙ୍କୁ ରାଗିଙ୍ଗ କରିବାର ଦୁର୍ବାର ପ୍ରୟାସ କରିଥିଲେ l ତାଙ୍କ ବାଟ ଓଗାଳି 'ଦିଲ' ଉପରେ ଗୀତଟିଏ ଗାଇବାକୁ କହି ପଞ୍ଝାଏ ଦାନ୍ତ ଦେଖାଇ ହସୁଥାନ୍ତି l ନୀଳିମା ଏକ ମେଧାବୀ ଛାତ୍ରୀଥିଲେ l ରାସ୍ତାରୁ ଇଟା ଖଣ୍ଡେ ଆଣି କରିଡୋର ଫ୍ଲୋରରେ ହି 'ଦିଲ' ମାନେ 'ହାର୍ଟ' ର ଚିତ୍ର ଆଙ୍କି ବିଭିନ୍ନ ଅଂଶ ଯେମିତିକି ଅରିକଲ, ଭେଣ୍ଟ୍ରିକଲ, ଧମନୀ, ଶିରା ଆଦିର ଡ଼ାଇଗ୍ରାମକରି  ପୁରା ସରକୁଲେଟୋରି ସିଷ୍ଟମ ଆଉ ତାର କାର୍ଯ୍ୟକାରିତା ଉପରେ  ପ୍ରାୟ ପନ୍ଦର କୋଡିଏ ମିନିଟର ମିନି ଲେକଚର ଦେଇ ଉପସ୍ଥିତ ଜନତାଙ୍କୁ ସ୍ତବ୍ଧ କରିଦେଇ କହିଲେ,


- "କ୍ଲାସ ସମୟ ହୋଇଗଲା  ଯିବାକୁ ଦିଅ, ନହେଲେ ଏ ଇଟା କାହା ମୁଣ୍ଡରେ ପଡି ରକ୍ତାକ୍ତ କରିବ ମୁଁ ଜାଣେନି" -କହି  ନାକ ଫୁଲେଇ ନିଲି ଚାଲି ଯାଇଥିଲାବେଳେ ସମସ୍ତଙ୍କ ହାର୍ଟ ଅଟକି ଯାଇଥିଲା ପନ୍ଦର କୋଡିଏ ମିନିଟପାଇଁ l


ଏସବୁ ଖଣ୍ଡେ ଦୂରରୁ ବସି ଚୁପଚାପ ନିରୀକ୍ଷଣ କରୁଥିଲେ ନୀଲେଶ ମିଶ୍ର ଆଉ  ମୁକ୍ତାମାଳ ପରି ପରିଷ୍କାର ଖୁନ୍ଦିଖୁନ୍ଦିକା ଦାନ୍ତ ଦେଖାଇ ହସୁଥିଲେ ଖାଲିଯାହା l ସ୍ଵଭାଵତଃ ଶାନ୍ତ, ପ୍ରାକୃତିକ ରୂପେ ଧର୍ଯ୍ୟବାନ, ସହିଷ୍ଣୁ ଏବଂ ଗମ୍ଭୀର ନୀଲେଶ l ନିଜ ପଢାପଢିକୁ ସମ୍ବଳ କରି ଖୁବ କୃତିତ୍ୱ ହାସଲ କରି କଲେଜ, ନିଜ ଗାଁ ଏପରିକି ଜିଲ୍ଲାର ଗୌରବ ହୋଇଥାନ୍ତିସେ l ଡାକ୍ତରୀ ପଢିସାରି ନିଜର ଏକ କ୍ଲିନିକ ଖୋଲି ସୁଲଭ ମୂଲ୍ୟରେ ସେବା ଯୋଗାଇ ସମାଜ ପ୍ରତି ନିଜ କର୍ତ୍ତବ୍ୟର ପାଳନ କରିବାକୁ ଲକ୍ଷ୍ୟରଖିଥାନ୍ତି ସେ l


ପ୍ରତିଭା ଲୁଚି ରହିପାରେନାହିଁ l ଦିନେ ଡିବେଟର ଫାଇନାଲ ରାଉଣ୍ଡରେ ଜ୍ୱଳନ୍ତ ଧିଶକ୍ତି ସମ୍ପନ୍ନା ନୀଳିମା ମହାନ୍ତିଙ୍କୁ ନିଜ ସ୍ଥିର ଶୀତଳ ବୁଦ୍ଧିରେ ସହଜରେ ହରାଇ ପୁଣି ମୁକ୍ତାମାଳ ଝଲସାଇ ଟ୍ରଫି ନେଇଯାଇଥାନ୍ତି ନୀଲେଶ l ଫର୍ଷ୍ଟ ଟାଇମପାଇଁ ନୀଳିମାଙ୍କ ଠାରୁ ତାଙ୍କ ଗର୍ବ ଆଉ ହୃଦୟ ଉଭୟ ଚୋରାଇ ନେଇଥାଏ  କିଏ l ପରାସ୍ତ ସୈନିକଟେ ପରି ସେରାତି  ନୀଳିମା ବର୍ଷାଠୁଁ ଅଧିକ ଝରନ୍ତି ଆଉ ଝୁରନ୍ତି l ପରେ ପାଠ ପଢାରୁ ବିମୁଖ ମନ କେବଳ ଗୋଟେ ନିର୍ମୋହି ହସର ଝଲକ ଖୋଜିବସେ l ୟାଠୁଁ, ତା ଠୁଁ କେମିତି ନୀଲେଶଙ୍କ ନୋଟ ଆଣିବ, ତାଙ୍କ ବିଷୟରେ ଅଧିକ ଜାଣିବ-  ସେଥିପାଇଁ ଆଗ୍ରହୀ ହୁଏ l ନୀଲେଶ ଭାରି ଲାଜକୁଳା l ସେ କେବେବି କହିବେନି ଜାଣି ନିଜେ ପ୍ରପୋଜ କରିଥାଏ ଶ୍ରାବଣୀ l ଦିନେ ଭାବପ୍ରବଣ ହୋଇ କହିଦିଏ ସେ ଯେ ତାଙ୍କୁ ସେ କେତେ ଭଲପାଉଛି  ବୋଲି l ଉତ୍ତର? 

- ବାଟଛାଡ଼ l

ଏମିତି ଉଗ୍ରରୁପ? ସେ ଠେଲି ଚାଲି ଯାଉଥାନ୍ତି ନୀଳିମାଙ୍କୁ  ଆଉ ତାଙ୍କୁ ଦେଖି ଡରିଯାଇଥାଏ ଭିତରେ l ଏମିତି ପ୍ରତ୍ୟାଖ୍ୟାନ ଯେ କୌଣସି ନାରୀର ଗରିମା ଆଉ ଅହଂକାରକୁ ଚୋଟ ପହଞ୍ଚେଇବା ପାଇଁ କାଫି l କଣ ଆଉ କିଏ ତାଙ୍କ ଜୀବନରେ? କଣ ସେ ଆଜିକା ଯୁଗରେ ଜାତି ଧର୍ମ କୁ ନେଇ ଚିନ୍ତିତ?

ସେ ଜାଣେ ଏହା ନିରାଟ ମିଛ l ସେ ଦେଖିଛି ନିରବ ନୀଲେଶଙ୍କ ଆଖିରେ ତା ପାଇଁ ଦୁର୍ବଳତା l ଦିନେ ନ ଦେଖିଲେ ଖୋଜିଲା ଖୋଜିଲା ଆଖିର ବ୍ୟାକୁଳତା ଠିକ ବାରି ପାରିଛି l ନୀଳିମା ର ପରୀକ୍ଷାଦିନ ସେ ବିଚଳିତ ହେବାବେଳେ କଲେଜ ଆଗ ଶିଵ ମନ୍ଦିରରେ ଏକାଗ୍ରଚିତ୍ତ ହୋଇ ମହାଦେବଙ୍କୁ ପ୍ରାର୍ଥନା କରିବାର ସେ ଦେଖିଛି l


କେବେବି ଫୁଲ,ଚକଲେଟ କି କବିତାର ଆଦାନ ପ୍ରଦାନ ତାଙ୍କ ଭିତରେ ହୋଇନାହିଁ, କିନ୍ତୁ ମନରେ ମନ ମିଶିଗଲେ ଔପଚାରିକତା ଦରକାର ହୁଏନି l ନୀଳିମାର କଠୋରପଣର ବାହ୍ୟ ଖୋଳପା ଭୂପତିତ ହୋଇ ଭିତରୁ ଏକ କୋମଳ ନାରୀଟିଏ ଆବିର୍ଭୁତ ହୋଇଥାଏ l ସେ ସାଜିସୁଜି ହୁଏ l ଗୀତ ଗାଏ l ନୀଳିମା ପାଖଦେଇ ଚାଲିଗଲେ ଆଖି ବୁଜି ଆଘ୍ରାଣ କରିନିଅନ୍ତି ନୀଲେଶ ତାର ଉଡି ଯାଉଥିବା ଦୁପଟ୍ଟାର ସୁଗନ୍ଧ l ଆଖିଦେଇ ପି ଗଲାପରେ ବାଁ ପଟ ଛାତି ପକେଟରେ ଚୁପକି ସାଇତି ଦିଅନ୍ତି ତାର ପର୍ସରୁ ଜାଣି ଶୁଣି ଖସାଯାଇଥିବା ଷ୍ଟାମ୍ପ ସାଇଜ ଫୋଟୋ l ଦୂରରୁ ଦେଖି ମୁର୍କି ହସୁଥାନ୍ତି ନୀଳିମା ଆଉ ତାଙ୍କ ସାଙ୍ଗମାନେ l ହେଲେ ସେ ତାର ନିବେଦନକୁ ଅଗ୍ରାହ୍ୟକରି ସେଦିନ ନିଜକୁ ନିଜେ କଷ୍ଟଦେବା କିଛି ବୁଝି ପାରୁନଥାଏ l


କିଛିଦିନ ବେମାର ପଡି କଲେଜ ନ ଯାଇ ଘରେ କେବଳ କାନ୍ଦୁଥାଏ ନିଲି l ମେଡିକାଲ ପଢା ଅଧାରେ ରହିଯାଇଥାଏ l ମା' ଔଷଧଦେଇ,ଝାଡ଼ ଫୁଙ୍କ ଆଦି ନନା ପୂଜା ମାନସିକ କରାଇ ଥାନ୍ତି l ତଥାପି ପରିସ୍ଥିତି ନ ସୁଧୁରିବାର ଦେଖି ଜ୍ୟୋତିଷ ଡାକନ୍ତି l ମା' ମନ ... ପିଲାପାଇଁ ବିଶ୍ୱାସ,  ଅନ୍ଧବିଶ୍ୱାସ ସବୁକିଛିକୁ ଭରସାକରେ  l ଶେଷରେ ଜ୍ୟୋତିଷଙ୍କ କଥାରଖି  ସବୁବର୍ଷ ସେ ଶ୍ରାବଣ ସୋମବାର ନିଶ୍ଚିତ କରନ୍ତି l ନାସ୍ତିକ ନୀଳିମା ହୋଇଯାନ୍ତି ନିଷ୍ଠାପର ଶିଵଭକ୍ତ l ଏମିତି ଦୁଇ ବର୍ଷ କୁଆଡେ ଚାଲିଗଲାଣି l ଅଶାନ୍ତି, ଉନ୍ମାଦନା ଆଉ ଝୁରିବାହିଁ ସାର ହୋଇଥାଏ l ପ୍ରୀତି ସଳିତା, ଇନ୍ଧନ ଅଭାବରୁ ଲିଭି ଲିଭି ଆସେ l


ଶେଷରେ ବାପା ମା' ଙ୍କ ଆୟୋଜିତ ବିବାହ ନିଷ୍ପତ୍ତିକୁ ସ୍ବୀକାରୋକ୍ତି ଦିଏ l ଦୂର ସହରରେ ଚାକିରୀ କରିଥିବା କେଉଁଏକ ତନ୍ମୟ ପଟ୍ଟନାୟକଙ୍କ ସହ ବିବାହକରି ସେ ସହର, ସେ ଦୁନିଆଛାଡି ଦୁରକୁ ବହୁତ ଦୁରକୁ  ଚାଲିଯିବାପାଇଁ ଚାହେଁ l ନିଶ୍ଚିତକରେ ମରିଗଲେ ସୁଧା ଆଉ କେବେବି ଦୃଷ୍ଟି ଫେରେଇ ନଫେରନ୍ତାକି ସେ ସହରକୁ l 


ବିବାହ ଦିନ ମଣ୍ଡପ ବାହାରେ 'ନୀଳିମା ୱେଡ୍ସ ତନ୍ମୟ' ପୋଷ୍ଟର ଦେଖି ଖୁବ ବ୍ୟଥିତ ହୋଇଥାନ୍ତି ନୀଲେଶ l ପିଲାଦିନେ ଏକ ମର୍ମନ୍ତୁଦ ଆକ୍ସିଡେଣ୍ଟର ଶିକାର ହେଲା ପରେ ଅର୍ଥଅଭାବରୁ ଅପରେସନ ସମୟରେ ହୋଇପାରିନଥାଏ l ଫଳରେ ବାମପଟ ଗୋଡ଼ଟି କଟା ଯାଇ ପଙ୍ଗୁ କରାଯାଇଥାଏ ତାଙ୍କୁ l ଚିତ୍କାର କରିଉଠେ ଆତ୍ମା l ମୁହଁ କାନ ନାଲି ପଡି ଯାଇ, ଦେହ ଝାଳେଇ ଯାଇଥାଏ ଠିଆ ଠିଆ l ଆଜିଯାଏ ନକଲି ଗୋଡ଼ରେ ସିନା କାମ ଚଳେଇଆସିଛନ୍ତି, ହେଲେ ପ୍ରେମ ନାଁରେ ସେ ଆଜୀବନ ନକଲି ସମ୍ପର୍କଟିଏ ଯୋଡି କେମିତି ଦେଇଥାନ୍ତେ? 


ମନେ ପଡୁଥାଏ ବାବାଙ୍କ କଥା,

-" ନିଲୁ, ସେବାହିଁ ପରମ ଧର୍ମ l ତୁ ମୋତେ କଥାଦେ ଯେ, ରୋଗୀମାନଙ୍କ ଆର୍ଥିକ ଅବସ୍ଥାବୁଝି ତାଙ୍କ ଉପଚାର ସୁଲଭ ମୂଲ୍ୟରେ ସେବା ଯୋଗାଇଦେବୁ l" ସେବେଠୁଁ ଜୀବନକୁ ଯଜ୍ଞକରି ତପସ୍ୟାରତ ଥାନ୍ତି ନୀଲେଶ l କେମିତି ଠେଲି ଦେଇ ପାରିଥାନ୍ତେ ସେ ଯଜ୍ଞରେ ନିଜ ସବୁଠୁଁ ପ୍ରୀୟ ଲୋକଟିକୁ? ନୀଳିମାଙ୍କ ବିଶାଳ ଭବିଷ୍ୟତ ବଦଳରେ ଚୋରାଇ ନଷ୍ଟ କରିଦେଇଥାନ୍ତି ତାଙ୍କ ପାସପୋର୍ଟ ଫୋଟୋ ସହ ବର୍ତ୍ତମାନର କିଛି ମୁହୁର୍ତ୍ତ l ମଣ୍ଡପ ଆଗରେ ନାଚୁଥିବା ପିଲାଙ୍କଭିତରୁ ଗୋଟେ ପିଲାକୁ ଡାକି ଏକ ଉପହାର ଦେଇ କହନ୍ତି,

-ବ୍ରାଇଡ ପାଇଁ l


କିଛିଦିନ ପରେ ନୀଳିମା ଖୋଲି ଦେଖନ୍ତି, ଆରେ ସେଦିନର ଡିବେଟ କମ୍ପିଟିସନର ଟ୍ରଫି...ତେବେ କଣ ନୀଲେଶ ?? ପ୍ରଶ୍ନକିଛି ନୀଲେଶଙ୍କ ଅନ୍ତର ଚିରି ପକାଉଥାଏ l

ଚାରି ବର୍ଷ ପରେ କ୍ଲିନିକ ବନ୍ଦ କରିବାକୁ ଯିବାବେଳେ ୱେଟିଙ୍ଗ ରୁମରେ ବସି ହସୁଥାନ୍ତି ନୀଳିମା l

- ନିଲି?? ତୁମେ ଏଠି ?

- କଣ ଭାବିଲ? ସବୁ ବ୍ୟତିକ୍ରମ ତୁମଠି ସରିଛି ? ତନ୍ମୟଙ୍କ ସଙ୍ଗେ ସାଢେ ତିନିବର୍ଷ ହେଲା ଚାଲିଥିବା ଡିଭୋର୍ସ କେସ ଫାଇନାଲ ହେଲାପରେ ମୁଁ ଆଜିମୁକ୍ତ l ତନ୍ମୟଙ୍କ ଚରିତ୍ରରେ ତ୍ରୁଟି ଥିବାର ଦେଖି  ମୁଁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ କରି ତାଙ୍କୁ ଡ଼ିଭୋର୍ସ ଦେଇଛି l ଆଉ  ତୁମ ଗୋଡ଼ ବିଷୟରେ  ମୁଁ ପରେ ଜାଣିବାକୁ ପାଇଲି l ଏତେ ପର ମୋତେ କେବେଠୁଁ ଭାବିଲ ଯେ ସାରା ଜୀବନ ମୋତେ ଏ କଥା ଲୁଚାଇଦେବାକୁ ଭାବି ପାରିଲ? ତୁମ ଜାଗାରେ ମୁଁ ହୋଇଥିଲେ କଣ କରି ପାରିଥାନ୍ତି ଏସବୁ?  ସବୁ ବଳିଦାନର ଶ୍ରେୟ ତୁମର?ମୁଁ କଣ ସାମାନ୍ୟ ବଳିଦାନ ଦେଇ ପାରିବି ନାହିଁ? ଚାଲ ଚାଲ... ପଢାପଢି ସମ୍ପୂର୍ଣ କରିବାର ଅଛି l ମିଶିକି କ୍ଲିନିକ ଚଳାଇବାର ଅଛି l କେତେ କାମ ବାକି ଅଛି l ତୁମେ ହିଁ ମୋର ଶେଷ ଟ୍ରଫି,ତୁମେ ମୋ ଶେଷ ଉପହାର l


Post a Comment

0 Comments