ଦଶପଲ୍ଲା : - କରୋନା ଯୋଗୁ ଦୀର୍ଘ ୨ବର୍ଷ ଧରି ବନ୍ଦ ଥିବା ଦଶପଲ୍ଲା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଏକ ବର୍ଣାଢ୍ୟ ପରିବେଶରେ ଆରମ୍ଭ ହୋଇଛି । ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ମହାବୀରଙ୍କ ମନ୍ଦିର ଠାରୁ କ୍ରୀଡା ମଶାଲକୁ ଏକ ବିରାଟ ଶୋଭାଯାତ୍ରାରେ ଅଣାଯାଇ ମଞ୍ଚରେ ସ୍ଥାପନ କରା ଯାଇଥିଲା। ଏନସିସି କ୍ୟାଡେଟ୍ ମାନଙ୍କ ବାଦ୍ୟର ତାଳେ ତାଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପିଲାମାନେ ଖେଳାଳୀ ମାନଙ୍କୁ ସ୍ବାଗତ କରିଥିଲେ । ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଏବଂ ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ ଯୋଗଦେଇ ଦଶପଲ୍ଲା କପ୍ କୁ ଗ୍ରହଣ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଆଜି ପ୍ରଥମ ଦିବସରେ ଭଦ୍ରକ ଟିମ୍ ସହ ଅନୁଗୁଳ ଟିମ୍ ଖେଳିଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଦ୍ବୀତିୟାର୍ଦ୍ଧରେ ଅନୁଗୁଳ ଭଦ୍ରକକୁ ଗୋଟିଏ ମାତ୍ର ଗୋଲ ଦେଇଥିଲେ ମଧ୍ୟ ଭଦ୍ରକର ଖେଳାଳୀ ମାନେ ଗୋଲ ଦେବାର ବହୁ ସୁଯୋଗ ହାତଛଡା କରି ଗୋଲ୍ ପରିଶୋଧ କରି ପାରି ନ ଥିଲେ। ଶେଷରେ ଅନୁଗୁଳକୁ ବିଜେତା ଘୋଷଣା କରାଯାଇଥିଲା । ଆସନ୍ତା କାଲି ଅନୁଗୁଳ ସହ ଢେଙ୍କାନାଳର ଖେଳହେବ । ରେଫରି ସ୍ବପ୍ନେଶ୍ବର କହଁର ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ ରେ ପ୍ରସନ୍ନ କୁମାର ନାୟକ ଏବଂ ରବିନ୍ଦ୍ର ନାଥ ନାୟକ ଥିଲେ ।ପ୍ରାୟ ପାଂଚ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ହୋଇ ଖେଳ ଉପଭୋଗ କରିଥିଲେ ।
0 Comments