,ଓଲବ ଶିକ୍ଷକ ଅଭାବ,ପାଠପଢ଼ା ବାଧାପ୍ରାପ୍ତ ଆଠଗଡ/ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଓଲବ ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ନାନା ସମସ୍ୟାରେ ରହିଛି। ଏହି ବିଦ୍ୟାଳୟ ସରକାରଙ୍କ ୫ ଟି ଯୋଜନାରେ ସାମିଲ ହୋଇ ରୂପାନ୍ତରିତ ହୋଇଥିଲେ ମଧ୍ୟ ଏହାର ସମସ୍ୟା ଦୂର ହୋଇନି। ବ୍ଲକର ଏକ ଦୁର୍ଗମ ଅଞ୍ଚଳରେ ଏହି ବିଦ୍ୟାଳୟ ରହିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ ହୋଇନି। ସେହିପରି ଶିକ୍ଷକ ଅଭାବ ରହିଥିବା ବେଳେ ଶ୍ରେଣୀଗୃହ ଅଭାବ ଓ ବିଦ୍ୟାଳୟ ରହିଥିବା ସ୍ଥାନରେ ନେଟୱର୍କ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ। ଉକ୍ତ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ' ପ୍ରତୀକ୍ଷା ' ରେ ପ୍ରକାଶ ପାଇଥିବା ଏକ ଖବରକୁ ଖଣ୍ଡନ କରିବାକୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ଏହିସବୁ ସମସ୍ୟା ସମ୍ପର୍କରେ what's App ରେ ସେ ସୂଚନା ଦେଇଥିଲେ।ସୂଚନା ଯୋଗ୍ୟ ଯେ, ଗତ ୧୯୪୭ ମସିହାରୁ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ବହୁ ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ସରକାରୀ ଅବହେଳାରୁ ଏବେବି ବହୁ ସମସ୍ୟା ଘେରରେ ରହିଛି ଏହି ଅନୁଷ୍ଠାନ।ବ୍ଲକ୍ ସଦର ମହକୁମା ଠାରୁ ବହୁ ଦୂରରେ ତଥା ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଏହାର ସାମଗ୍ରିକ ବିକାଶ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡି ନଥିବା ଅଭିଯୋଗ ହୋଇଛି।କେବଳ ସରକାର ନୁହେଁ,ଏଠାରେ ଅବସ୍ଥାପିତ ହେଉଥିବା ଶିକ୍ଷକ ମାନେ ମଧ୍ୟ ନିୟମିତ ଓ ନିର୍ଦ୍ଧାରିତ ସମୟରେ ଆସୁ ନଥିବା ଅଭିଯୋଗ ହେଉଛି।ଶିକ୍ଷକ ମାନଙ୍କ ଅନିୟମିତତା ଯୋଗୁଁ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିୟମିତ ଆସନ୍ତିନି। ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ରେକର୍ଡ ହେଉଥିଲେ ମଧ୍ୟ ତାହା ଠିକ୍ ନୁହେଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ବିଦ୍ୟାଳୟ ଗୁଡ଼ିକର ସ୍ଥିତି ଏଭଳି ବୋଲି ଅଭିଯୋଗ ପାଇ ଗତ ଜୁନ ମାସ ଶେଷ ସପ୍ତାହରେ ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଥିବା ବେଳେ ଏମିତି ତଥ୍ୟ ସାମ୍ନାକୁ ଆସିଥିଲା।ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ମାନେ ଅଚାନକ ଗସ୍ତ କରି ସ୍କୁଲ ଗୁଡ଼ିକର ସ୍ଥିତି ପରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ।ତୃଣମୂଳ ସ୍ତରରେ ସିଆରସିସି ମାନେ ତଦାରଖ କରିବା ପାଇଁ ସେମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା।ସିଆରସିସି ମାନେ ତଦାରଖ ପରେ ସ୍କୁଲର ଅଭାବ ଅସୁବିଧା ବାବଦରେ ରିପୋର୍ଟ ଦେବା କଥା।କିନ୍ତୁ ନରସିଂହପୁର ବ୍ଲକରେ ସରକାରଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି ।ଫଳରେ ଉକ୍ତ ସ୍କୁଲରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି।ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଜାଲ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିବା ଭଳି ଅଭିଯୋଗକୁ ବିଭାଗୀୟ ଅଧିକାରୀ ଚାପି ଦେଇଥିବା ଅଭିଯୋଗ ହୋଇଛି। ଶିକ୍ଷା ବିଭାଗରେ ଏଭଳି ଅଭିଯୋଗକୁ ଚାପି ଦିଆଯାଇଥିବାରୁ ହରିଜନ ଆଦିବାସୀ ବିଭାଗ କିମ୍ବା କ୍ରାଇମ୍ ବ୍ରାଞ୍ଚ ବିଭାଗ ପକ୍ଷରୁ ଅଭିଯୋଗର ତଦନ୍ତ ହେବା ସହ ସଂପୃକ୍ତ ଶିକ୍ଷକ ସରକାରଙ୍କ ଠାରୁ ଦରମା ଆକାରରେ ନେଇଥିବା ଅର୍ଥ ଆଦାୟ ପାଇଁ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। (ଆଠଗଡ ରୁ ମହେଶ ଚନ୍ଦ୍ର ଦାସଙ୍କ ରୋପୋର୍ଟ )
0 Comments