ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜ଼ିଲ୍ଲା କ୍ଷେତ୍ର ପରିଦର୍ଶନ

 ସଚିବାଳୟରେ ନବନିଯୁକ୍ତି ପାଇଥିବା ୩୧ ଜଣ ସହକାରୀ ବିଭାଗୀୟ ଅଧିକାରୀମାନେ ଦିନିକିଆ ବୌଦ୍ଧଜ଼ିଲ୍ଲା ଗସ୍ତରେ ଆସି ପ୍ରଶାସନିକ କାର୍ଯ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି l ଜ଼ିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅଧିକାରୀମାନଙ୍କୁ ଜ଼ିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଯାଇଥିଲା l ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ବୌଦ୍ଧଜ଼ିଲ୍ଲା ଭ୍ରମଣରେ ଆସିଥିବା ସଚିବାଳୟ ସହକାରୀ ଅଧିକାରୀମାନଙ୍କୁ ସ୍ୱାଗତ କରିବାପରେ ସଂସ୍ଥାପନା ଅଧିକାରୀ ଝରଣା ପ୍ରଧାନ ସରକାରୀ କର୍ମଚାରୀଙ୍କ ପେନଶନ ବ୍ୟବସ୍ଥା,ଅଦାଲତି ମାମଲା ପରିଚାଳନା,ବନ୍ଧୁକ ଲାଇସେନ୍ସ ପ୍ରଦାନ


ପ୍ରକ୍ରିୟା ସହିତ ବିଭାଗୀୟ ଦାୟିତ୍ୱ ସଂପର୍କରେ ଅବଗତ କରାଇଥିଲେ l  ସେହିପରି ଅତିରିକ୍ତ ଜ଼ିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ ସାଧାରଣ ବଣ୍ଟନ ବ୍ୟବସ୍ଥା,ଅନ୍ତୋଦୟ ଯୋଜନା,ଅନ୍ନପୂର୍ଣ୍ଣା ଯୋଜନା ଓ ଖାଉଟି ସୁରକ୍ଷା ଆଇନ ସଂପର୍କରେ ସୂଚନା ପ୍ରଦାନ  କରିଥିଲେ l ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଜରୂରୀକାଳୀନ ବିଭାଗ ସଞ୍ଜୟ କୁମାର ଝା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ l ଜ଼ିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l  ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅତିରକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ଦଳବେହେରା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଚାଳନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ l ସନ୍ଧ୍ୟାରେ ସମସ୍ତ ସଚିବାଳୟ ଅଧିକାରୀ ଜ଼ିଲ୍ଲାର ଐତିହ୍ୟସଂପର୍ଣ୍ଣ ଗନ୍ଧରାଢୀ ପରିଦର୍ଶନ କରିବା ସହିତ ନାରାୟଣନଗର ଗ୍ରାମରେ ପହଞ୍ଚି ବୁଣାକାରମାନଙ୍କ ସହିତ ଆଲୋଚନା କରିଥିଲେ l ବୁଣାକାରମାନଙ୍କ ତନ୍ତଶାଳା,ବୁଣାକାର ସାମଗ୍ରୀ ଏବଂ ପ୍ରସ୍ତୁତ ହାତବୁଣା ଲୁଗା ଦେଖିଥିଲେ l ସେଠାରୁ ବୌଦ୍ଧ ସଂଗ୍ରହାଳୟରେ ପହଞ୍ଚି ସମସ୍ତ କକ୍ଷରେ ରଖାଯାଇଥିବା ସଂଗୃହୀତ ସାମଗ୍ରୀ ଦେଖିଥିଲେ l ବୌଦ୍ଧ ଅତିଥିଭବନଠାରେ ରାତ୍ରି ବିଶ୍ରାମ କରିବାପରେ ପରଦିନ ସକାଳୁ ଜ଼ିଲ୍ଲା ପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜ଼ିଲ୍ଲାର ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ  ଆଲୋଚନା କରିଥିଲେ l ବୌଦ୍ଧରୁ କନ୍ଧମାଳ ଜ଼ିଲ୍ଲାକୁ ଗସ୍ତ କରିବା ଅବସରରେ ସମସ୍ତ ସହକାରୀ ବିଭାଗୀୟ ଅଧିକାରୀ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ କରି ଶିଶୁମାନଙ୍କ ସହିତ ଆଲୋଚନା କରିଥିଲେ l ଏହି ଅଧିକାରୀମାନଙ୍କ ସହିତ ଗାଇଡ ଅଧିକାରୀ ଭାବରେ କ୍ଷୀରୋଦ କୁମାର ନାୟକ ଓ କ୍ଷୀରୋଦ କୁମାର ବିଶ୍ୱାଳ ସାମିଲ ହୋଇଥିଲେ l


Post a Comment

0 Comments