ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରୁ ଡିମିରିପଲ୍ଲୀ ପର୍ଯ୍ୟନ୍ତ କିଛିମାସ ପୂର୍ବରୁ ନିର୍ମାଣ ହୋଇଥିବା ପୂର୍ତ ବିଭାଗ ରାସ୍ତା ଜାକେଡା ପଂଚାୟତ ଶିମିଳିସାହି ଗ୍ରାମ ନିକଟରେ ଦବି ଯାଇଛି ଏବଂ ରାସ୍ତା ଫାଟିକି ଆଁ କରିବା ସହ ନିର୍ମାଣ କରାଯାଇଥିବା ନାଳର
ଗାର୍ଡୱାଲ ମଧ୍ୟ ଫାଟିକି ଆଁ କରିଥିବା ନେଇ ଖବର ପ୍ରକାଶନ ହେବା ପରେ ବିଭାଗୀୟ ଅଧିକାରୀ ସେଠାରେ ପହଂଚି କାମଚଳା ଭାବେ ପ୍ୟାଚ ପକାଇ ଦେଇ ଚାଲିଆସିଥିବା ଜଣାପଡିଛି। ତେବେ ନିକଟରେ ନିର୍ମାଣ ହୋଇଥିବା ରାସ୍ତା କାର୍ଯ୍ୟ ବଷେର୍ ଯାଇନଥିବା ବେଳେ ବର୍ତମାନ ସମୟରେ ଏହି ନାଳ ନିକଟରେ ରାସ୍ତା ଦବିଯାଇଥିବା କାରଣରୁ ଗାଡି ଚାଳକ ମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଉଥିବା ବେଳେ ଏହି ସ୍ଥାନ ପଥଚାରୀଙ୍କୁ ଦିନକୁ ଦିନ ଭୟଭୀତ କରୁଛି।
ସୂଚନା ମୁତାବକ, ନୂଆଗାଁ ବ୍ଲକ ସଦରମହକୁମା ଠାରୁ ବାହାଡାଝୋଲା ପର୍ଯ୍ୟନ୍ତ ପୂର୍ତ ବିଭାଗ ରାସ୍ତା ନିର୍ମାଣ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବାହାଡାଝୋଲା ଠାରୁ ଡିମିରିପଲ୍ଲୀ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ସହ ପରବର୍ତୀ ପର୍ଯ୍ୟାୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଡିମିରିପଲ୍ଲୀ ଠାରୁ ନୂଆଗାଁ ପର୍ଯ୍ୟନ୍ତ କିଛି ଦିନ ତଳେ ପୂରଣ ହୋଇ ସାରିଛି। ତେବେ ଜାକେଡା ପଂଚାୟତ ଶିମିଳିସାହି ଗ୍ରାମ ନିକଟରେ ଥିବା ନାଳରେ ପାଣି ଯିବା ପାଇଁ ନାଳର ଉଭୟ ପ୍ରାର୍ଶ୍ବରେ ଗାର୍ଡୱାଲ ନିର୍ମାଣ କରାଯାଇଥିଲା। କିନ୍ତୁ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ନାଳର ଏକ ପାର୍ଶ୍ବ ଗାର୍ଡୱାଲର ବିଭିନ୍ନ ସ୍ଥାନ ଫାଟିଥିବା ବେଳେ ବର୍ତମାନ ଚାଲିଥିବା ଲଗାଣ ବର୍ଷାରେ ଏହା ଦିନକୁ ଦିନ ତାହା ଅଧିକରୁ ଅଧିକ ମାତ୍ରାରେ ଫାଟୁଥିବା ନଜର ଆସିଛି। କେବଳ ସେତିକି ନୁହେଁ ଗାର୍ଡୱାଲ ରାସ୍ତାକୁ ସୁରକ୍ଷା ଦେଉଥିବା କାରଣରୁ ଏହା ଫାଟିବା ସହ ରାସ୍ତା ମଧ୍ୟ ଦବିଯାଇ ସେଥିରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରିସ୍ଥଳେ ଏହି ଗାର୍ଡୱାଲ କେତେବେଳେ ଯେ ଭୁସୁଡିଯିବ ତାହା କିଛି କହି ହେବନାହିଁ। ବର୍ଷାଦିନ ଆରମ୍ଭରୁ ରାସ୍ତାର ଏଭଳି ପରିସ୍ଥିତି ହେବା ନେଇ ପଥଚାରୀମାନେ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଉନ୍ନତମାନର ରାସ୍ତା ନିର୍ମାଣ କରାଯିବା ନେଇ ଗତ ୨୦୨୧ ମସିହା ଫେବୃୟାରୀ ମାସରେ ସ୍ଥାନୀୟ ଲୋକମାନଙ୍କ ନିକଟରେ ଠିକା ସଂସ୍ଥା ପ୍ରତିଶ୍ରୃତି ଦେଇଥିଲା। ହେଲେ ବର୍ତମାନ ନାଳଟି ଦିନକୁ ଦିନ ପଥଚାରୀଙ୍କ ପାଇଁ ବିପଦ ବଢାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏଠାକୁ ଆସି ଫାଟିଥିବା ରାସ୍ତାରେ କାମଚଳା ଭାବେ ପ୍ୟାଚ ପକାଇ ଦେଇ ଖସିଯିବାକୁ ବସିଛନ୍ତି। ତେବେ ଏନେଇ ପୂର୍ତ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସମୟ ରହିଥିବା ବେଳେ ଏହାକୁ ଦୁଇ ଦିନ ମଧ୍ୟରେ ମରାମତି କାର୍ଯ୍ୟ କରାଯିବା ନେଇ ଠିକାସଂସ୍ଥାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି।
0 Comments