ନୂଆଗାଁ ବ୍ଲକରେ ଶିକ୍ଷା ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ବହୀନତା ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିିତିରେ
ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କର ସମୟ ଜ୍ଞାନ ରହୁନଥିବା ବେଳେ କର୍ମଚାରୀମାନେ ନିଜକୁ ସୁହାଇଲା ଭଳି ସମୟ ସୁବିଧା ଦେଖି କାର୍ଯ୍ୟାଳୟକୁ ଆସୁଛନ୍ତି। ହେଲେ ଏ ସମ୍ପର୍କରେ ଯଦିଓ ବିଭାଗୀୟ ଉପରିସ୍ଥ ଅଧିକାରୀ ଏନେଇ ଅବଗତ ଅଛନ୍ତି, ସେମାନେ କିନ୍ତୁ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଏଭଳି ଅବ୍ୟବସ୍ଥାର ଏକ ମୁଖ୍ୟ କାରଣ।
ନୂଆଗାଁ ଶିକ୍ଷା ବିଭାଗରେ ବିବାଦ ପିଛା ଛାଡୁନଥିବା ବେଳେ ଦିନକୁ ଦିନ ତାହା ଅଡୁଆ ସୂତା ଭଳି ଗୁଡାଇ ହେବାରେ ଲାଗିଛି। କେତେବେଳେ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ପ୍ରଧାନଶିକ୍ଷକ କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ପୋଷାକ ଟଙ୍କାକୁ ହଡପ କରୁଛନ୍ତି ତ ଆଉ କେତେବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦକୁ ଆସିଥିବା ଟଙ୍କାକୁ ଛାତ୍ରଛାତ୍ରୀଙ୍କୁ ଦେଉନାହାଁନ୍ତି। ହେଲେ ଏ ବିଷୟରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦାୟିତ୍ବରେ ରହୁଥିବା କର୍ମଚାରୀମାନେ ସବୁ ଜାଣି ସୁଦ୍ଧା ନଜାଣିଲା ଭଳି ଅଭିନୟ କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଯାଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ସାମଗ୍ରୀକୁ ତାଙ୍କ ପାଖରେ ପହଂଚାଇ ଦିଆଯାଉଛି। ହେଲେ ଦାୟିତ୍ବରେ ଖିଲାପ କରିଥିବା ପ୍ରଧାନଶିକ୍ଷକଙ୍କ ଉପରେ ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ଆକ୍ସନ ନେଉନାହାଁନ୍ତି। ବରଂ ନିଜ ଭିତରେ ସାଲ ସୁତୁରା କରି ଆପୋଷ ସମାଧାନ କରି ଦେଉଛନ୍ତି।
ବର୍ତମାନ ସମୟରେ ଦେଖିବାକୁ ଗଲେ ନୂଆଗାଁ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରାୟ କର୍ମଚାରୀମାନେ କୌଣସି ଦିନ ସଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ଯଦିଓ ସଠିକ୍ ସମୟରେ କାର୍ଯ୍ୟାଳୟ ଖୋଲୁଛି କିନ୍ତୁ କର୍ମଚାରୀମାନେ ନିଜକୁ ସୁହାଇଲା ଭଳି ସମୟ ସୁବିଧା ଦେଖି କାର୍ଯ୍ୟାଳୟରେ ପହଂଚୁଛନ୍ତି। କିନ୍ତୁ ଯିବା ସମୟରେ ସଠିକ୍ ସମୟରେ କାର୍ଯ୍ୟାଳୟରୁ ଯାଉଛନ୍ତି। ଏପରିକି କାର୍ଯ୍ୟାଳୟ ସଠିକ୍ ସମୟରେ ଖୋଲିଥିଲେ ସୁଦ୍ଧା କାଁ ଭାଁ କର୍ମଚାରୀଙ୍କୁ ଛାଡିଦେଲେ ପ୍ରାୟ କର୍ମଚାରୀଙ୍କ ସିଟ୍ ଫାଙ୍କା ରହିଥିବା ଦେଖିବାକୁ ମିଳିଥିଲା। ଯଦି ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ସମୟାନୁବର୍ତିତା ରହୁନାହିଁ ତାହାଲେ ନୂଆଗାଁ ବ୍ଲକରେ ଶିକ୍ଷା ବ୍ୟବସ୍ଥା କେଉଁ ସ୍ତର ଦେଇ ଗତି କରୁଛି ତାହା ଏଥିରୁ ଅନୁମେୟ। ତେବେ ନୂଆଗାଁ ଶିକ୍ଷା ବିଭାଗରେ ଚାଲିଥିବା ଅବ୍ୟବସ୍ଥା ପ୍ରତି ଉପରିସ୍ଥ ବିଭାଗୀୟ ଅଧିକାରୀ ବିଶେଷ ଭାବେ ଦୃଷ୍ଟି ଦେବା ସହ ଏଥିରେ ତୁରନ୍ତ ପରିବର୍ତନ ଆଣିବା ପାଇଁ ଦାବି ହୋଇଛି ।
0 Comments