ଆଠଗଡ଼ ,/ଗୁଜୁରାଟର ମୋର୍ବି ସହରରେ ଗତ ରବିବାର ଦିନ ଝୁଲା ପୋଲ ଛିଣ୍ଡି ପଡ଼ିବା ପରେ ଏବେ ସାରା ଦେଶରେ ଥିବା ଝୁଲାପୋଲଗୁଡ଼ିକୁ ଯାଞ୍ଚ କରାଯାଉଛି । ଓଡିଶାର ଅନ୍ୟତମ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁଟି କ୍ରମଶଃ ଦୁର୍ବଳ ହେଉଥିବା ଗତ କିଛି ବର୍ଷ ଧରି ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିଲା । ତେବେ ଅହମ୍ମଦାବାଦ ଘଟଣାପରେ ଏବେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି.
ଆଜି ୪ର୍ଥ ସୋମବାର ହୋଇଥିବା ବେଳେ ଆଗକୁ ରହିଛି ବାବା ଧବଳେଶ୍ୱରଙ୍କ ପ୍ରସିଦ୍ଧ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା । ଏହି ସମୟରେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଅନ୍ୟପଟେ ମହାନଦୀରେ ମଧୂସୁଦନ ସେତୁ ହେବାପରେ ଏବେ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ତେବେ ଝୁଲାପୋଲର ସ୍ଥିତି ଯାଞ୍ଚ କରିବା ପରେ ଧବଳେଶ୍ୱର ଝୁଲାପୋଲ ମରାମତି ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏଥି ପାଇଁ ଶ୍ରଦ୍ଧାଳୁଙ୍କ ନିମନ୍ତେ ୨ଦିନ ଝୁଲାପୋଲରେ ଯିବାକୁ ବାରଣ କରାଯାଇଛି । ମଙ୍ଗଳବାର ଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ । ଏହି ଦୁଇ ଦିନ ଭିତରେ ପୋଲ ଉପରକୁ କାହାକୁ ଛଡା ଯିବ ନାହିଁ । ସ୍ଥାନୀୟ ପ୍ରଶାସନ ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ । ଦୁଇ ଦିନ ଭିତରେ କାମ ଯଦି ସମ୍ପୂର୍ଣ୍ଣ ନ ହୁଏ । ତେବେ ପୋଲର ବନ୍ଦ ଅବଧି ସମୟ ସୀମା ବଢ଼ିପାରେ ବୋଲି ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ, ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ରବିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିମନ୍ତ୍ରଣରେ କୋଲକାତାରୁ ଏକ ବିଶେଷଜ୍ଞ ଟିମ୍ ଝୁଲା ପୋଲ ସ୍ଥିତି ପରଖିଥିଲା । ଏହାର କଡିକବଜା ଗୁଡିକ ଦୁର୍ବଳ ହୋଇଯାଇଛି ଏବଂ ଯଥାଶୀଘ୍ର ମରାମତି ଆବଶ୍ୟକ ବୋଲି କମିଟି ମତ ଦେଇଥିଲା । ଏ ସମ୍ପର୍କରେ ଗତକାଲି ରାତିରେ କଟକରେ ବୈଷୟିକ କମିଟି ବୈଠକ ବସି ଆଜି ଠାରୁ ଝୁଲାପୋଲରେ ଯାତାୟତ କରିବାର କ୍ଷମତାକୁ ହ୍ରାସ କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ତରଫରୁ ପୋଷ୍ଟର ଲଗାଯାଇ କଟକଣା ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଇଛି । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଏହି ଝୁଲାପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଓସାର ୨ ମିଟର ରହିଛି ପ୍ରଥମେ ଏହାର ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ ଥିଲା । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣାବେକ୍ଷଣ ଅଭାବରୁ ଏବେ ୨୦୨୦ ମସିହାରେ ଏହାର କ୍ଷମତାକୁ ୬୦୦ ଶହକୁ କମାଇ ଦିଆଗଲା ହେଲେ ଚଳିତ ବର୍ଷର କାର୍ତ୍ତିକ ମାସକୁ ଭକ୍ତଙ୍କ ସମାଗମ ଦେଖି ଆଜି ଏହାକୁ ହ୍ରାସ କରାଯାଇ ୨୦୦ କରାଯାଇଥିଲା । ତେବେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳାର ସହିତ ଦର୍ଶନ କରିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।
ଆଠଗଡ଼ରୁ ମହେଶ ଦାସଙ୍କ ରିପୋର୍ଟ ।
0 Comments