
ଆଜି ସକାଳ ୧୦ ଘଟିକା ସମୟରେ ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା , ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା , ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୩ଟି ଅଭିଯୋଗ , ସାମୁହିକ ଗ୍ରାମ ବିବାଦ ୩ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୧ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୨୧୯ , ୦୦୦ / - ଏବଂ ରେଡକ୍ରସରୁ ୦୧ଜଣ ଦରଖାସ୍ତକାରୀଙ୍କୁ ଟ.୧୫୦୦୦ / - ଆର୍ଥିକ ଅନୁଦାନ ମଂଜୁର କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା . ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା କେସଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର ମଧ୍ୟରେ ଫଇସଲା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା - କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଦଶପଲ୍ଲା , ତହସିଲଦାର ଦଶପଲ୍ଲା , ଜିଲ୍ଲାସ୍ତରୀୟ ପଦାଧିକାରୀ , ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା . ଟୁଡ଼ୁଙ୍କୁ ସହଯୋଗ କରିଥିଲେ । ପରେ ପରେ ଅପରାହ୍ନ ଘ.୦୩.୩୦ମି . ସମୟରେ ଜିଲ୍ଲାପାଳ ତା.ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ବାଇପାସ୍ ନିର୍ମାଣ ସମ୍ବନ୍ଧରେ ପଂଚାୟତ ସମିତି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଜମି ହରାଉଥିବା ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଦଶପଲ୍ଲା ବ୍ଲକ ଉନ୍ନୟନ ଅଧିକାରୀ , ତହସିଲଦାରଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
0 Comments