ଆଠଗଡ/ ତିଗିରିଆ ଥାନା ପୁଲିସ ଓ ଆଠଗଡ଼ ଅଵକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା ଗ୍ରାମରୁ ବିପୁଳ ପରିମାଣର ଵେଆଇନ ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିଵା ପୋଚ ନଷ୍ଟ କରାଯାଇଛି । ଆଗାମୀ ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଚଢାଉ କରାଯାଉଥିବା କୁହାଯାଉଛି।ପାର୍ବଣ ଋତୁରେ ଏହି ନିଶା ସାମଗ୍ରୀକୁ ବାହାରକୁ ଚାଲାଣ କରି ବିପୁଳ ଲାଭ ଉଠାଇବା ଲକ୍ଷ୍ୟରେ ନିଶା ମାଫିଆ ମାନେ ଗୁପ୍ତ କୋଠରୀ ମାନଙ୍କରେ ଏହି ସାମଗ୍ରୀକୁ ଗଛିତ ରଖିଥିଲେ।ଏହି ଅଂଚଳରୁ ମଦ ପ୍ରସ୍ତୁତ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷ କରି କଟକ,ଭୁବନେଶ୍ୱର, ଢେଙ୍କାନାଳ, ଚୌଦ୍ୱାର, ସାଲେପୁର,ବାଙ୍କୀ ଓ ନୟାଗଡ଼ ଅଞ୍ଚଳକୁ ଵେଆଇନ ଭାବେ ଚାଲାଣ ହୋଇଥାଏ।ଏହି ଗ୍ରାମର ମଦ ମାଫିଆମାନେ ପୋଲିସ ଓ ଅଵକାରି ବିଭାଗ କୁ ମାସିକିଆ ବଟି ଦେଇ ବର୍ଷବର୍ଷ ଧରି ଏହି ଧନ୍ଦା ଚାଲୁ ରଖିଛନ୍ତି। ମଦ ଚାଲାଣ କାର୍ଯ୍ୟ ରେ ଶତାଧିକ ଦୁଇ ଚକିଆ ଓ ନାମିଦାମୀ ଚାରିଚକିଆ ଗାଡି ଵ୍ୟଵହାର ହୋଇଥାଏ। ମାଫିଆ ମାନେ ସେମାନଙ୍କ ବିରାଟ ଅଟ୍ଟାଳିକା ମାନଙ୍କରେ ଛାତ ଉପରେ ପାଣିଟାଙ୍କି ର ଭ୍ରମ ସୃଷ୍ଟି କରି ଓ ମାଟି ତଳେ ସମ୍ପ ନିର୍ମାଣ କରି ଅଭିନବ ଉପାୟରେ ଏହି ମଦ ଗଛିତ ରଖିଥାନ୍ତି।ଗତକାଲି ମିଳିତ ଚଢ଼ାଉ ସମୟରେ ଅଵକାରି ବିଭାଗ ଓ ପୋଲିସ ଏହି ସବୁ ଟାଙ୍କି ଗୁଡିକୁ ଚିହ୍ନଟ କରି ୨୦୬୦ଲିଟର ମଦ ଓ ୧୨୯୮୫ ଲିଟର ପୋଚ ନଷ୍ଟ କରିଛନ୍ତି।ତେବେ ମଦ ମାଫିଆ ମାନେ ଚଢ଼ାଉ ର ସୁରାକ ପାଇ ଖସିଯିବାକୁ ସମର୍ଥ ହୋଇଛନ୍ତି।ଏଥିପାଇଁ ଅଵକାରୀ ବିଭାଗ କିମ୍ବା ସ୍ଥାନୀୟ ପୋଲିସ ରୁ କେହି ମାଫିଆ ମାନଙ୍କୁ ଚଢ଼ାଉ ପୂର୍ବରୁ ସୂଚନା ଦେଇଥିବା ସନ୍ଦେହ କରାଯାଉଛି।ତେବେ ଅଵକାରୀ ବିଭାଗ ତରଫରୁ ଏ ସଂକ୍ରାନ୍ତରେ ୫ଗୋଟି ମାମଲା ରୁଜ୍ଜୁ କରାଯାଇଥିବା ଅଵକାରୀ ବିଭାଗ ସୂଚନା ଦେଇଛି।କଟକ ଜିଲ୍ଲା ଅଵକାରି ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢ଼ାଉରେ ଆଠଗଡ଼ ଅଵକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସ,ଭାରପ୍ରାପ୍ତ ଅଧିକାରୀ ଵିଜୟକୁମାର ଭଂଜ,ନରସିଂପୁର ଅଵକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ, ତିଗିରିଆ ଥାନା ସହକାରୀ ଉପ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ,ଚୌଦ୍ଵାର ଅଵକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନିରାକାର ଦେଉରୀ ଓ ବାଙ୍କୀ ଅଵକାରୀ ଥାନା ଅଧିକାରୀ ତେଜେଶ୍ୱର ଲାକ୍ରା ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments